

ବିଜେପୁର ଆହାର କେନ୍ଦ୍ର, ଯୋଖିପାଲି ନଦୀ ବାଲି ଚାଳାଣ, ଲାଉମୁଣ୍ଡାର କ୍ଷତି ପୂରଣ ଉପରେ ଅଭିଯୋଗ
ବିଜେପୁର : ବରଗଡ଼ ଜ଼ିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସୋମବାର ଜ଼ିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପ-ଜିଲ୍ଲାପାଳ ସ୍ନେହା ଅରଗୁଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ମହନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ବିଭିନ୍ନ ସମସ୍ୟା ସମ୍ପର୍କିତ ସମୁଦାୟ ୫୪ ଗୋଟି ଅଭିଯୋଗ ଦାଖଲ ହୋଇଥିଲା । ଏଥି ମଧ୍ୟରୁ ୧୨ ଗୋଟି ବ୍ୟକ୍ତିଗତ ଓ ୪୨ ଗୋଟି ସାମୁହିକ ଅଭିଯୋଗ ଥିଲା । ତା ସହିତ ଗୋଟିଏ ରେଡ୍କ୍ରସ୍ ସମ୍ପର୍କିତ ଅଭିଯୋଗ ମଧ୍ୟ ଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ଗୋୟଲ ଅଭିଯୋଗ ଗୁଡିକର ଶୁଣାଣି କରି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠିଥିଲା । ପ୍ରଥମେ, ବିଜେପୁର ଆହାର କେନ୍ଦ୍ରରେ ଦିଆଯାଉଥିବା ଭାତ ଓ ଡାଲମା ଅତ୍ୟନ୍ତ ନିମ୍ନମାନର ବୋଲି ଲୋକମାନେ ଅଭିଯୋଗ କରିଥିଲେ । ଆଜି ପ୍ରଥମ ଥର ପାଇଁ ନୂଆ ଏସଏଚଜି ମହିଳାମାନେ ରୋଷେଇ କରିଥିବାରୁ ଏହି ସମସ୍ୟା ହୋଇଥାଇପାରେ ଏବଂ ସେମାନଙ୍କୁ ଶୀଘ୍ର ଟ୍ରେନିଂ ପ୍ରଦାନ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଗୋୟଲ ନିଶ୍ଚିତ କରିଥିଲେ । ଦ୍ବିତୀୟତଃ, ଲାଉମୁଣ୍ଡା ଗ୍ରାମର ସନ୍ତୋଷ ସାହୁଙ୍କ ଘର ଟ୍ରକ ଧକ୍କାରେ କ୍ଷତିଗ୍ରସ୍ତ ହୋଇଥିବା ଘଟଣା ଉପରେ, ସଂପୃକ୍ତ ଟ୍ରକ ବିଜେପୁର ଥାନାରେ ଅଟକ ରହିଛି ଓ ହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତଦନ୍ତ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।ତୃତୀୟରେ, ଯୋଖିପାଲି ନଦୀରେ ବାଲି ଚୋରା ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ, ଯଦି ଏ ସମ୍ପର୍କରେ ପ୍ରମାଣିକ ତଥ୍ୟ ମିଳେ, ତେବେ ନିଶ୍ଚିତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଗୋୟଲ କହିଛନ୍ତି ।





