

ପୀତାମ୍ବର ଥିଲେ ଆଞ୍ଚଳିକ କଳା, ସଂସ୍କୃତିର ଅନନ୍ୟ ଉପାସକ
ବିଜେପୁର : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ସାହିତ୍ୟିକ ଗୁପଲୁ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସହରର ପୁରୁଣା ବାଳକ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଜୟନ୍ତୀ ସମାରୋହକୁ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । କବି ପୀତାମ୍ବର ଗୁରୁ ଥିଲେ ଆଞ୍ଚଳିକ କଳା ସଂସ୍କୃତିର ଅନନ୍ୟ ଉପାସକ । ଏହା ବ୍ୟତୀତ ସେ ଏକାଧାରରେ ଜଣେ କବି, ସମ୍ବଲପୁର ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର, ଗାଳ୍ପିକ, ନାଟ୍ୟକାର, ଉପନ୍ୟାସିକ, ନିର୍ଦ୍ଦେଶକ ଥିଲେ ।ହିତକଥା, ଗୁପଲୁ, ଇନୁସେନୁ, ତାର ଲାଗି, ଜୀବନ ଛବିଶା,ବାରଆଡର କଥା, କୋହମ ପ୍ରମୁଖ ପ୍ରକାଶ ପାଇଥିବାବେଳେ ବହୁ ପାଣ୍ଡୁଲିପି ଅପ୍ରକାଶିତ ହୋଇ ରହିଛି । ଏହି ଅପ୍ରକାଶିତ ପାଣ୍ଡୁଲିପି ପ୍ରକାଶିତ ହେଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମତପ୍ରକାଶ ପାଇଥିଲା । ସଂପାଦକ ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ସହ ସଂପାଦକ ମକରଧ୍ବଜ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । କୋଷାଧ୍ୟକ୍ଷ ଦେବାଶିଷ ମେହେର ସାହିତ୍ୟିକ ଗୁପଲୁଙ୍କୁ ତାଙ୍କ ରଚିତ ବାରଆଡର କଥା ଗଳ୍ପ ସଂକଳନର ବଏଠା ଗଳ୍ପ ପାଠ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ହାସ୍ୟକବି ଯୁଗେଶ୍ବର ତାଣ୍ଡି, ଯୁବରାଜ ଦୀପ, ନାରୀକବି ସାବିତ୍ରୀ ମେହେର, ଅଧ୍ୟାପିକା ରଶ୍ମି ରେଖା ବାରିକ, ଦିଲେଶ ମେହେର ପ୍ରମୁଖ ଯୋଗଦେଇ କବିତା ମାଧ୍ୟମରେ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଗାମୀ ଦିନରେ ସାହିତ୍ୟିକ ଗୁପଲୁ ଜୟନ୍ତୀକୁ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଦିଲେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।


