ବିଜେପୁର ମାଁ ତାରିଣୀ ମନ୍ଦିରରୁ ଚୋରୀ

ଦେବାଦେବୀଙ୍କୁ ବି ଖାତିର କରୁନାହାନ୍ତି ଆଜିର ମଣିଷ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଆନନ୍ଦ ନଗର ନବ ନିର୍ମିତ ମାଁ ତାରିଣୀ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ମହା ଆଡମ୍ବରରେ ଜାନୁୟାରୀ ୨୩ ତାରିଖରେ ସମାପନ ହୋଇଥିବା ବେଳେ ଏହି ମନ୍ଦିରରୁ ଚୋରି ହୋଇଥିବା ଘଟଣା ସକାଳେ ଶୁଣି ଅଞ୍ଚଳର ଲୋକଙ୍କୁ ଚକିତ କରିବା ସହିତ ମନରେ ଆଘାତ ଦେଇଛି । ସୂଚନା ଅନୁଯାୟୀ, କିଛି ଦୁର୍ବୁତ୍ତ ଗତ ରାତ୍ରିରେ ଅବୈଧ ଭାବେ ମନ୍ଦିରକୁ ପ୍ରବେଶ କରି ମାଁ ତାରିଣୀଙ୍କ ପୂଜାରେ ବ୍ୟବହୃତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଛନ୍ତି । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ପ୍ରାୟ ୫୦୦ ଗ୍ରାମ ରୁପାର ଛତ୍ର, ୪ ଗ୍ରାମ ସୁନାର ମଙ୍ଗଳସୂତ୍ର, ରୁପାର ହାର, ରୁପା ସିନ୍ଦୁର ଫରୁଆ, ଥାଳି, ଗିନା ସହିତ 2 ଗୋଟି ଚାମଚ ରହିଥ‌ିବା ଜଣାପଡ଼ିଛି । ଏହି ଚୋରି ଘଟଣା ଜଣାପଡ଼ିବା ସହିତ ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା ଏବଂ ସମସ୍ତେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ମାଁ ତାରିଣୀ କମିଟୀ ତରଫରୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ଉକ୍ତ ଘଟଣାକୁ ବିଜେପୁରବାସୀ କଠୋର ଭାଷାରେ ନିନ୍ଦା କରିଛନ୍ତି । ଦେବାଦେବୀଙ୍କୁ ମଧ୍ୟ ଭୟ କରୁନଥିବା ଏପରି ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣ ଲୋକଙ୍କ ପକ୍ଷରୁ ଦାବୀ ଉଠିଛି । ଏହା ସହିତ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top