

ବିଜେପୁର କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜେପୁର କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସୁଧାଂଶୁ ଶେଖର ଜାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ସମ୍ମାନୀତ ଅତିଥି ଭାବେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପଧାନ, ଏବିଇଓ ତଥା ବିଆରସିସି ଦିବାକର ବରିହାଙ୍କ ସହିତ ସମଲପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଆରତୀ ଯୋଶୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶଙ୍କର ପଟେଲ ମଞ୍ଚାସୀନ ଥିବା ବେଳେ ସାମୁହିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରବି ଶଙ୍କର ଗୁରୁ ଅତିଥିଙ୍କ ସ୍ବାଗତ ଓ ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା ଦାୟିତ୍ବ ତୁଳାଇଥିଲେ । ସ୍ଥାନୀୟ ଦଶମ ଶ୍ରେଣୀର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ଓ ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।


ପ୍ରଧାନ ଶିକ୍ଷକ ମନୋଜ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ରହି ଅଙ୍ଗାଙ୍ଗୀ ଭାବେ ଜଡିତ ଥିବା ପାଠ ଏବଂ ଶାଠର ବିଶେଷତ୍ବ ଉପରେ ସଂକ୍ଷିପ୍ତ ଆଲୋଚନା ପୂର୍ବକ ଶିଷ୍ୟ ଜୀବନରେ ଏହାକୁ ଅକ୍ତିଆର କରି ଆଗେଇ ନେବାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଆଶିର୍ବାଦ ଦେଇଥିଲେ । ସ୍ବତନ୍ତ୍ର ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟାଳୟର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା କାର୍ଯ୍ୟକ୍ରମ ବେନର ରେ ଲିଖିତ “ମୋ ସ୍ବପ୍ନର ଓଡିଶା ୨୦୩୬” ର ବିଶେଷତ୍ବ ତଥା ସ୍ବପ୍ନ, ଓଡିଶା ଓ ୨୦୩୬ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରି ଉତ୍ତର ପାଇବା ଶୈଳୀରେ ୨୦୩୬ ରେ ଓଡିଶାର ଅନ୍ତର୍ନିହିତ ସ୍ବପ୍ନକୁ ସାକାର କରିବା ନିମିତ୍ତ ସେମାନଙ୍କ ଅନ୍ତରରେ କିଛି ଅଧିକ କରି ଦେଖାଇବା ସହିତ ସଫଳତା ହାସଳ କରିବାର ବୀଜ ବୁଣିଥିଲେ । ଉପନୀତ ସଭାରେ ସମଲେଇପଦର ସରପଞ୍ଚ ଜୟସିଂ ନାଏକ ସମେତ ସମ୍ମାନୀତ ଅତିଥିଗଣ ବହୁମୁଲ୍ୟ ମତ ମନ୍ତବ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ଶେଷରେ ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଜ୍ଞାପନ କରିଥିଲେ ।





