

ବିଜେପୁର ସିଏଚସିରେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର ପାଣ୍ଡିଆଙ୍କ ଯୋଗଦାନ


ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଆଜି ଶିଶୁରୋଗ ବିଶେଷଜ୍ଞ ଡ଼ ହେମନ୍ତ କୁମାର ପାଣ୍ଡିଆ ଯୋଗଦେଇଛନ୍ତି। ବିଜେପୁର ଡାକ୍ତରଖାନାରେ ପ୍ରଥମଥର ପାଇଁ ଶିଶୁରୋଗ ବିଶେଷଜ୍ଞ ଯୋଗଦେବାକୁ ନେଇ ଅଞ୍ଚଳବାସୀ ମଧ୍ୟରେ ଖୁସିର ଲହରି ଦେଖାଦେଇଛି । ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡତିୟାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଦୀର୍ଘଦିନ ଧରି ବିଜେପୁର ଅଞ୍ଚଳରେ ଶିଶୁରୋଗ ବିଶେଷଜ୍ଞଙ୍କ ଅଭାବ ଥିବାରୁ ରୋଗୀମାନେ ବରଗଡ଼ କିମ୍ବା ଅନ୍ୟ ସହରକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଥିଲେ । ଏବେ ବିଜେପୁର ସିଏଚସିରେ ଶିଶୁରୋଗ ବିଶେଷଜ୍ଞ ଯୋଗଦେବା ପରେ ଅଞ୍ଚଳର ଶିଶୁମାନେ ଏଠାରେ ହିଁ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି । ଏହି ଅବସରରେ ଡା.ହେମନ୍ତ କୁମାର ପାଣ୍ଡିଆ କହିଥିଲେ ଯେ, ବିଜେପୁର ଓ ଆଖପାଖ ଅଞ୍ଚଳର ଶିଶୁମାନଙ୍କୁ ଉନ୍ନତ ଓ ସମୟୋଚିତ ଚିକିତ୍ସା ସେବା ଦେବା ପାଇଁ ସେ ସଦା ସର୍ବଦା ପ୍ରୟାସରତ ରହିବେ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତ୍ୟେକ ପରିବାର ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ଠିକ୍ ସମୟରେ ଚିକିତ୍ସା ଓ ସଠିକ୍ ପରାମର୍ଶ ମିଳିଲେ ଶିଶୁମାନଙ୍କ ଅନେକ ରୋଗକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ ଅଭିଭାବକମାନେ ଶିଶୁମାନଙ୍କ ଟିକାକରଣ, ପୂଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ସଚେତନ ହେଲେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଆହୁରି ଭଲ ରହିପାରିବ । ଏହି ଅବସରରେ ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ, ନରସିଂହ ପୂଝାରୀ ଓ ସାମ୍ବାଦିକ ପାଣ୍ଡବ ପ୍ରଧାନ ଡା.ପାଣ୍ଡିଆଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ସେମାନେ କହିଥିଲେ ଯେ, ଡାକ୍ତରଙ୍କ ଯୋଗଦାନରେ ବିଜେପୁର ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ । ସ୍ଥାନୀୟ ଲୋକମାନେ ମଧ୍ୟ ଏହାକୁ ସ୍ୱାଗତ କରିଥିବା ସହ ବିଜେପୁରରେ ଆହୁରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହେବାକୁ ଆଶା ପ୍ରକାଶ କରିଛନ୍ତି ।




