

ବିଜେପୁର ସିଏଚସି ଫାର୍ମାସିଷ୍ଟଙ୍କ ବିରୋଧରେ ଅଭିଯୋଗ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚିକିତ୍ସା ପାଇଁ ପ୍ରାୟ ୧ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଏଠାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଚିନ୍ମୟୀ ମେହେରଙ୍କ ବିରୋଧରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଔଷଧ ବଣ୍ଟନ ସମୟରେ ସେ ରୋଗୀମାନଙ୍କ ସହ ଦୁର୍ବ୍ୟବହାର କରୁଥିବା କଥା ଲୋକମାନେ କହୁଛନ୍ତି । ଅଭିଯୋଗ ଅନୁଯାୟୀ, ରୋଗୀମାନେ ଔଷଧ କେମିତି ଖାଇବେ ବୋଲି ପଚାରିଲେ ସଠିକ୍ ଭାବରେ ଉତ୍ତର ଦେଉନଥିବା ସହ କେବେ କେବେ ରୁଖା ଭାବରେ ବ୍ୟବହାର କରାଯାଉଛି । ଏହାସହ ମେଡିସିନ ଷ୍ଟୋରରେ ଔଷଧ ଥିବା ସତ୍ତ୍ୱେ ଲୋକମାନଙ୍କୁ “ଔଷଧ ନାହିଁ” ବୋଲି ଫେରାଇ ଦିଆଯାଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଆଜି କିଛି ସଚେତନ ନାଗରିକ ଏକତ୍ରିତ ହୋଇ ଏହା ସମ୍ବନ୍ଧରେ ଅଭିଯୋଗ ଉଠାଇବା ସହିତ ଏହି ଅଭିଯୋଗକୁ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କୁବେର ଚନ୍ଦ୍ର ମହନ୍ତ ଙ୍କୁ ଜଣାଇଛନ୍ତି । ସେହିପରି ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତିୟାଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି ।ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବାରୁ ସେଠାରେ ରୋଗୀମାନଙ୍କ ସହ ସୁବ୍ୟବହାର ହେବା ଅତ୍ୟନ୍ତ ଆବଶ୍ୟକ । ଯଦି ଏଭଳି ସମସ୍ୟା ଚାଲିଥାଏ ତେବେ ଗ୍ରାମବାସୀମାନେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରିଛନ୍ତି । ଏହି ଘଟଣା ସମ୍ପର୍କରେ ତଦନ୍ତ କରି ଯଥୋଚିତ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀମାନେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣାଇଛନ୍ତି ।



