

ବିଜେପୁର ବସଷ୍ଟାଣ୍ଡ ଶ୍ରୀ ହନୁମାନ ମନ୍ଦିରରେ ହେବ ଚତୁର୍ଥ ବାର୍ଷିକ ନାମଯଜ୍ଞ ଓ ନବୀକରଣ ଉତ୍ସବ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସହରର ବସଷ୍ଟାଣ୍ଡ ସ୍ଥିତ ପ୍ରସିଦ୍ଧ ଶ୍ରୀ ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ନାମଯଜ୍ଞ ଓ ନବୀକରଣ ଉତ୍ସବ ଆସନ୍ତା ମାଘ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତା.୩୧.୦୧.୨୦୨୬ (ଶନିବାର ଓ ମାଘ ଶୁକ୍ଳ ପୂର୍ଣ୍ଣିମା ତା.୦୧.୦୨.୨୦୨୬ (ରବିବାର ଦୁଇ ଦିନ ଧରି ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ଓ ଆଡମ୍ବରର ସହିତ ଆୟୋଜିତ ହେବାକୁ ମନ୍ଦିର କମିଟୀ ପକ୍ଷରୁ ଆୟୋଜିତ ହୋଇସାରିଛି ।
ଶ୍ରୀ ହନୁମାନ ଭକ୍ତି, ବଳ, ବୁଦ୍ଧି ଓ ସେବାର ପ୍ରତୀକ। ଶାସ୍ତ୍ରରେ ହନୁମାନଙ୍କ ମହିମା ବର୍ଣ୍ଣନା କରି କୁହାଯାଇଛି-
“ଅତୁଳିତବଳଧାମଂ ସ୍ୱର୍ଣ୍ଣଶୈଳାଭଦେହଂ
ଦନୁଜବନକୃଶାନୁଂ ଜ୍ଞାନିନାମଗ୍ରଗଣ୍ୟମ୍ ।
ସକଳଗୁଣନିଧାନଂ ବାନରାଣାମଧୀଶଂ
ରଘୁପତିପ୍ରିୟଭକ୍ତଂ ବାତଜାତଂ ନମାମି ॥”
ଏହି ପବିତ୍ର ଶ୍ଲୋକ ଅନୁସାରେ ଶ୍ରୀ ହନୁମାନ ହେଉଛନ୍ତି ସମସ୍ତ ଗୁଣର ଆଧାର ଓ ଶ୍ରୀରାମଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ । ଏହି ଆଦର୍ଶକୁ ଅନୁସରଣ ପୂର୍ବକ ମନ୍ଦିର କମିଟୀ ଦ୍ୱାରା ଏହି ନାମଯଜ୍ଞ ଓ ଉତ୍ସବର ଆୟୋଜନ କରାଯାଇଛି । ୩୧ ଜାନୁଆରୀ ଶନିବାର ଉତ୍ସବର ପ୍ରଥମ ଦିନ ସକାଳ ୧୦ଟା ସମୟରେ ଭବ୍ୟ କଳସ ଯାତ୍ରା ପରେ କଳସ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହିଳାମାନଙ୍କ ସହ ଶତାଧିକ ଭକ୍ତ ଶ୍ରୀହନୁମାନଙ୍କ ନାମ ଜପ କରି କଳସ ଯାତ୍ରାରେ ସାମିଲ ହେବେ । ଦିବା ୧ଟା ସମୟରେ ଶ୍ରୀହରି ନାମଯଜ୍ଞର ଶୁଭାରମ୍ଭ ହେବ, ଯାହା ସାରା ପରିବେଶକୁ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ପରଣତ କରିବ । ୦୧ ଫେବୃଆରୀ ରବିବାର ଦ୍ବିତୀୟ ଦିନ ଦିବା ୧ ଘଟିକାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବ । ପୂର୍ଣ୍ଣାହୁତି ପରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୫ ଘଟିକା ସମୟରେ ମହିଳାମାନଙ୍କ ଦ୍ୱାରା ସଂକୀର୍ତ୍ତନ ବୈଠକି ଅନୁଷ୍ଠିତ ହେବ, ଯାହା ଉତ୍ସବର ମୁଖ୍ୟ ଆକର୍ଷଣ ରୂପେ ରହିବ । ଅଞ୍ଚଳ ତଥା ଦୂରାଞ୍ଚଳର ସମସ୍ତ ଜନସାଧାରଣ, ଭକ୍ତ, ଶ୍ରଦ୍ଧାଳୁ ଓ ହନୁମାନ ଉପାସକମାନଙ୍କୁ ଏହି ଭବ୍ୟ ଧାର୍ମିକ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀ ହନୁମାନଙ୍କ ଅପାର କୃପା, ଶକ୍ତି, ସାହସ ଓ ମଙ୍ଗଳମୟ ଆଶୀର୍ବାଦ ଲାଭ କରିବାକୁ ବିଜେପୁର ଶ୍ରୀ ହନୁମାନ ମନ୍ଦିର କମିଟୀ ତରଫରୁ ଅନୁରୋଧ କରାଯାଇଛି ।


