

ବାପୁଜୀ ହାଇସ୍କୁଲ ଖରମୁଣ୍ଡାର ବାର୍ଷିକୋତ୍ସବ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖରମୁଣ୍ଡାର ୪୨ତମ ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ମହେନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପାଧାନ, ସମ୍ମାନୀତ ଅତିଥି ଭାବେ ଏସଏମସି ଚେୟାରପର୍ସନ୍ ନଳୀନି ଗଡତିଆ, ପୂର୍ବତନ ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡ଼ଙ୍ଗୀ, ପୂର୍ବତନ ଛାତ୍ର ତଥା ଅତିରିକ୍ତ ତହସିଲଦାର କୌଶିକ ମେହେର, ସମିତି ସଭ୍ୟ ସଞ୍ଜୀବ ଗଡତିଆ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସହିତ ସମଗ୍ର କ୍ଷେତ୍ରରେ କିପରି ଛାତ୍ରଛାତ୍ରୀଙ୍କ ଉନ୍ନତି ହୋଇପାରିବ ସେ ବିଷୟରେ ଉପଦେଶ ଦେବା ସହିତ ସେମାନଙ୍କ ଅନ୍ତର୍ନିହିତ ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ପିତାମାତାଙ୍କୁ ଅନୁରୋଧ କରିଥିଲେ । କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ସ୍ବାଗତ ବକ୍ତବ୍ୟ ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ଅଜିତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ଅତିଥି ଭାବେ ସୁବର୍ଣ୍ଣପୁର ଜେଆରସିଓ ତଥା ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗଦେଇ ଅଭିଭାଷଣ ଓ ଗପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସୁଯୋଗକୁ ହାତଛଡା ନ କରି ସ୍କୁଲର ଶୈକ୍ଷିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମିତ୍ତ ମାର୍ଗଦର୍ଶନ କରିଥିଲେ । ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି ଅଧିବେଶନକୁ ଶିକ୍ଷକ ଅଜିତ କୁମାର ସାହୁ, ସ୍ବେଚ୍ଛାସେବୀ ଶିକ୍ଷକ ତୁଳସୀ ପୂଜାରୀ ଓ ପଞ୍ଚାନନ ପଧାନ ପରିଚାଳନା କରିଥିଲେ ଓ ଶନିଶ୍ଚର ବେହେରା ସହଯୋଗ କରିଥିଲେ । ଛାତ୍ରୀ ଗୀତାଞ୍ଜଳୀ ଦଣ୍ଡସେନା ଓ ରୁବି ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ନୃତ୍ୟ, ଗୀତ ସହିତ ସଚେତନଧର୍ମୀ ଦୁଇଟି କ୍ଷୁଦ୍ର ନାଟକ “ମୋର୍ ପୁଓ ବି ଇସ୍କୁଲ୍ ଯିବା” ଏବଂ “ଅନ୍ଧବିଶ୍ବାସ ଦୂରୀକରଣ” ପରିବେଷିତ ହୋଇଥିଲା ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । କାର୍ଯ୍ୟକ୍ରମରେ ସମସ୍ତ ଏସଏମସି ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିଥିଲେ। ଶେଷରେ ଶିକ୍ଷକ ଅଜିତ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





