

ବଡମା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଇଁ ସମନ୍ବୟ ବୈଠକ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲର ବିଶିଷ୍ଟ ନାରୀ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ବଡମା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସମନ୍ବୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ ସଭା କକ୍ଷରେ ଆୟୋଜିତ ବୈଠକରେ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଯୋଗଦେଇ ସ୍ବାଧୀନତା ସଂଗ୍ରାମ ତଥା ସମାଜସେବୀ କ୍ଷେତ୍ରରେ ବଳିଷ୍ଠ ଅବଦାନ ରହିଥିବା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା ଅଞ୍ଚଳ ପାଇଁ ଗର୍ବ ଗୌରବର ବିଷୟ, ତେଣୁ ଏହାର ସଫଳ ରୂପାୟନ ନିମିତ୍ତ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଏନ୍.ଏ.ସି ଅଧ୍ୟକ୍ଷା ସୀତା ବାରିକ, ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞା ବିଭୁଦତ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଆଗାମୀ ୧୯ ତାରିଖରେ ବିଜେପୁର ହାଇସ୍କୁଲ ପଡ଼ିଆରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତାବ ହୋଇଥିଲା । ଏହି ଅବସରରେ ଜନ୍ମ ପୀଠରୁ ପାର୍ବତୀ ଗିରି ଜ୍ୟୋତି ଚେତନା ରଥ ସ୍ଥାନୀୟ ସହର ପରିକ୍ରମା କରି ସଭା ମଞ୍ଚରେ ସ୍ଥାପନ କରାଯିବାକୁ ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ ସଭିଏଁ ସ୍ବାଗତ କରିଥିଲେ । ଅପରପକ୍ଷରେ ଆଗାମୀ ୧୬ ରେ ସ୍କୁଲ କଲେଜର ପିଲାଙ୍କ ମଧ୍ୟରେ ବ୍ଲକସ୍ତରୀୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଵ।ଏହି ଶତବାର୍ଷିକୀ ତିନି ଦିନ ଧରି ଆୟୋଜନ କରାହେବ । ୧୭ ତାରିଖରେ ସ୍ବଚ୍ଛତା ଅଭିଯାନ, ୧୮ରେ ମେଗା ରକ୍ତଦାନ ଶିବିର ଓ ୧୯ ରେ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ, ସମଲାଇପଦର ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ, ଗଣମାଧ୍ୟମ ପ୍ରତିନିଧି, ସମଲାଇପଦର ଗ୍ରାମବାସୀ ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ ବୈଠକରେ ସାମିଲ ଥିଲେ। ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ ।


