ଅଶ୍ଵିନୀ ଦାସ ଗୁଡ୍ ସାମରିଟାନ୍ ସମ୍ମାନରେ ସମ୍ମନୀତ

ମାନବିକତାର ଆଲୋକରେ ଉଜ୍ଜ୍ବଳ ଯୋଖିପାଲି

ବରଗଡ/ବିଜେପୁର : ମାନବିକତା, ସେବାଭାବ ଓ ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ଯୋଖିପାଲି ଗ୍ରାମର ଯୁବକ ଅଶ୍ବିନୀ କୁମାର ଦାସ । ସଡ଼କ ସୁରକ୍ଷା ଓ ମାନବଜୀବନ ରକ୍ଷାରେ ତାଙ୍କର ନିଷ୍ଠାପୂର୍ଣ୍ଣ ସେବାକୁ ସମ୍ମାନ ଜଣାଇ, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ‘ଗୁଡ୍ ସାମରିଟାନ’ ସମ୍ମାନରେ ଗୌରବିତ କରାଯାଇଛି। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କେନ୍ଦ୍ର ତରଫରୁ ଆୟୋଜିତ ଉଦ୍‌ଯାପନ ଉତ୍ସବରେ, ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଙ୍ଗୁଆ ମାଝୀ ବରଗଡ଼ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ତାଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଘରକୁ ଫେରୁଥିବା ସମୟରେ ଲାଉମୁଣ୍ଡା–ପୁଞ୍ଜିପଥର ମୁଖ୍ୟ ରାସ୍ତାରେ, ଚାରପାଲି ନିକଟସ୍ଥ ଛକ ନିକଟରେ ଜଣେ ଯୁବକ ଭୟାବହ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ବରଗଡ଼ ନିକଟସ୍ଥ ଜମୂର୍ଡା ଗ୍ରାମର ରଜତ ବାରିକ (୨୮) ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ, ଅଶ୍ବିନୀ କୁମାର ଦାସ କ୍ଷଣମାତ୍ର ବିଳମ୍ବ ନ କରି ନିଜ ଉଦ୍ୟମରେ ପ୍ରାଇଭେଟ ଗାଡି ଭଡା କରି ତାଙ୍କୁ ବିଜେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଥିସହ ସ୍ଥାନୀୟ ପୋଲିସକୁ ମଧ୍ୟ ତୁରନ୍ତ ସୂଚନା ଦେଇ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ମାନବିକତାର ଏହି ନିଷ୍କାମ ସେବାଭାବ ସାଧାରଣ ଜନମାନସରେ ବ୍ୟାପକ ପ୍ରଶଂସା ଅର୍ଜନ କରିଥିବା ବେଳେ, ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ‘ଗୁଡ୍ ସାମରିଟାନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଶ୍ବିନୀଙ୍କ ଏହି କାର୍ଯ୍ୟ କେବଳ ଏକ ସେବା ନୁହେଁ, ବରଂ ସମାଜ ପାଇଁ ଏକ ପ୍ରେରଣା, ଏକ ଆଦର୍ଶ ଓ ଏକ ମାନବିକ ଆଲୋକସ୍ତମ୍ଭ ଭାବେ ପରିଚିତ ହୋଇଉଠିଛି ।

Leave a Comment

Your email address will not be published. Required fields are marked *

Scroll to Top