ଅଞ୍ଚଳରେ ଉତ୍ତମ କ୍ରୀଡାବିତ୍ ସୃଷ୍ଟି ହେବେ

ଅଞ୍ଚଳରେ ଉତ୍ତମ କ୍ରୀଡାବିତ୍ ସୃଷ୍ଟି ହେବେ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ବିଜେପୁର ବ୍ଲକ ଶାରିରୀକ ଶିକ୍ଷକ ସଂଘ ତରଫରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଭରତ ସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ଶାରିରୀକ ଶିକ୍ଷକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଧାନ, ପୂବତନ ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, ବିଶିକେଶନ ମେହେର ଓ ଲିଙ୍ଗରାଜ ଖମାରୀ ମଞ୍ଚାସୀନ ଥିଲେ ।

ବିଦାୟୀ ପହଣ୍ଡି ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସରୋଜ ପୁରୋହିତ ଏବଂ ସାଇପାଲି ଉ.ପ୍ରା ବିଦ୍ୟାଳୟର ପିଟିଆଇ ଅମୂଲ୍ୟ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସେମାନଙ୍କର ସ୍ମୃତିଚାରଣ ସହିତ ନିରୋଗ ସୁଖମୟ ଦୀର୍ଘାୟୁ କାମନା ପୂର୍ବକ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟୁତ୍ତରରେ ସେମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ, “ଆପଣ ସମସ୍ତ କ୍ରୀଡା ଶିକ୍ଷକ ପରିଶ୍ରମ କରି ଉତ୍ତମ ଭାବେ ନିଜର କର୍ମ କଲେ ଅଞ୍ଚଳରେ ଉତ୍ତମ କ୍ରୀଡାବିତ୍ ସୃଷ୍ଟି ହେବେ” ବୋଲି ସ୍ବ-ମତ ପ୍ରକାଶ କରିଥିଲେ । ବଡ଼ବ୍ରାହ୍ମଣୀ ହାଇସ୍କୁଲ ପିଇଟି ବାଳକୃଷ୍ଣ ପୋଢ଼ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଭବାନୀ ଶଙ୍କର ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଦଶରଥ ଗଡତିଆ, ବିଶ୍ବମ୍ବର ପ୍ରଧାନ, ଗଜାନନ ସାହୁ, ହୃଦମଣି ସାହୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ କ୍ରୀଡା ସଙ୍ଘର ସଦସ୍ୟ ଓ ସ୍ଥାନୀୟ ହାଇସ୍କୁଲର ଶିକ୍ଷକଗଣ ସହଯୋଗ କରିଥିଲେ । ଶେଷରେ ମକରଧ୍ବଜ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top