ରାୟଗଡ଼ା/ଗୁଣୁପୁର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାୟଗଡା ଜିଲ୍ଲା ତତ୍ୱାବଧାନରେ ଗୁଣୁପୁର ସଦର ମହକୁମା ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଉପଖଣ୍ଡ ସ୍ତରୀୟ ତିନି ଦିବସୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗଙ୍କ କରକମଳରେ ଫିତାକାଟି ଶୁଭ ଉଦ୍ଘାଟନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ସମ୍ମାନିତ ଅତିଥି ଗୁଣୁପୁର ପୌର ଅଧ୍ୟକ୍ଷା ଶ୍ରୀମତି ମମତା ଗୌଡ଼, କୃଷି ନିର୍ବାହୀ ଯନ୍ତ୍ରୀ ତ୍ରିନାଥ ପଟ୍ଟନାୟକ, କୃଷି ବୈଜ୍ଞାନିକ(ଫସଲ ସଂରକ୍ଷଣ) କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା ରାଜୀବ ଟୁଡୁ,ସମିତି ଅଧ୍ୟକ୍ଷା ଗୁଣୁପୁର ଶ୍ରୀମତି ଝିଲି ଶବର, ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ଜିଲ୍ଲା କୃଷି ଅଧିକାରୀ ଗୁଣୁପୁର ବୃନ୍ଦାବନ ବେହେରା, ଜିଲ୍ଲା କୃଷି ଅଧିକାରୀ ମୁନିଗୁଡା ଚିତ୍ତରଞ୍ଜନ ଶତପଥି, ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ବୈଦିକ ମନ୍ତ୍ରରେ ମନ୍ତ୍ରିତ କରି ଧୂପଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ ସହକାରେ ଶ୍ରୀଫଳ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ସମ୍ୱନ୍ଧରେ ଅତିଥି ମାନଙ୍କ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ କୃଷି, ପ୍ରାଣୀ ସମ୍ପଦ, ଉଦ୍ୟାନ, ମତ୍ସ୍ୟ ବିଭାଗରେ ଚାଷ କରି ସଫଳତା ହାସଲ କରିଥିବା ଗୁଡ଼ାରୀ ଓ ପଦ୍ମପୁର ବ୍ଲକର ୮ଜଣ ଚାଷୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ମାନପତ୍ର ସହ ମୋହର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ବିଭିନ୍ନ କମ୍ପାନୀର ମୋଟ ୨୪ ଗୋଟି ଷ୍ଟଲରେ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ନମୁନା ଦେଖିବାକୁ ମିଳିଥିବା ବେଳେ ଅତିଥି ମାନେ ଷ୍ଟଲ ଗୁଡ଼ିକ ବୁଲି ନିରୀକ୍ଷଣ କରି ଦେଖିଥିଲେ। ଏହି ଅବସରରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ସହିତ କୃଷି ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ରରେ ଗୁଡ଼ାରୀ ଓ ପଦ୍ମପୁର ବ୍ଲକର ୫୦ ଜଣ ଚାଷୀ ଭାଗ ନେଇଥିବା ସୂଚନା ମିଳିଥିଲା। ଉକ୍ତ ମେଳରେ ପ୍ରାୟ ୪୦୦ ଜଣ ଚାଷୀ ଉପସ୍ଥିତ ରହି ମେଳା ଉପକରଣ ଉପଭୋଗ କରିଥିବା ବେଳେ ୫ ଗୋଟି ଟ୍ରାକ୍ଟର ଓ ସହିତ ବହୁ କୃଷି ଯନ୍ତ୍ରପାତି କ୍ରୟ କରିବା ଦେଖିବାକୁ ମିଳିଥିଲା।ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ସମସ୍ତ କୃଷି ଅଧିକାରୀ, କର୍ମଚାରୀ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା କୃଷି ଅଧିକାରୀ ମୁନିଗୁଡା ଶ୍ରୀ ଚିତ୍ତରଞ୍ଜନ ଶତପଥି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ




