ଅବସର ଗ୍ରହଣ ପରେ ବି ମୁଁ ଶିକ୍ଷାଦାନ ଜାରି ରଖିବି

ଅବସର ଗ୍ରହଣ ପରେ ବି ମୁଁ ଶିକ୍ଷାଦାନ ଜାରି ରଖିବି

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟରେ ଏସ୍.ଏମ୍.ସି ଚେୟାରପର୍ସନ୍ ଯୋଗିନ୍ଦ୍ର ପଧାନଙ୍କ ଆଧ୍ୟକ୍ଷତାରେ ବିଦାୟୀ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତିଆଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମେ ୩୧ ତାରିଖ ଦିନ ସରକାରୀ ଚାକିରିରୁ ଅବସର ନାଇଥିବା ଶ୍ରୀ ଗଡତିଆ ଅବସର ଗ୍ରହଣ ପରେ ବି ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କୁଲରେ ମାଗଣାରେ ଶିକ୍ଷାଦାନ ଜାରି ରଖିବି ବୋଲି ଘୋଷଣା କରିଥିବା ବେଳେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସ୍କୁଲ ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ଏହି ଗୋଟିଏ ସ୍କୁଲରେ ଶିକ୍ଷକତା କରି ନିଜ ଗାଆଁ ମାଟି ପାଇଁ କିଛି ଉତ୍ତମ କରିବାର ସ୍ବପ୍ନ ଦେଖିଥିବା ନିତ୍ୟାନନ୍ଦ ସାର୍ ଅନ୍ୟ ବଡ ବଡ ସରକାରୀ ବିଦ୍ୟାଳୟରେ ଚାକିରି ପାଇଥିଲେ ମଧ୍ୟ ଗାଆଁ ଓ ସ୍କୁଲ ପ୍ରତି ରହିଥିବା ଅତୁଳନୀୟ ଅନୁରକ୍ତି ଓ ନିସ୍ବାର୍ଥ ଭାବ ଯୋଗୁଁ ସେ ଗାଆଁ ସ୍କୁଲରୁ ଅନ୍ୟତ୍ର ଗୋଡ କାଢିପାରି ନଥିଲେ ।

ପୂର୍ବତନ ଛାତ୍ର ଜୟନ୍ତ ଗଡତିଆଙ୍କ ସଂଯୋଜନାରେ ଅନୁଷ୍ଟିତ ଉକ୍ତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ଦାଶ, ପୂର୍ବତନ ପ୍ରଧାନ ଶିକ୍ଷକ ଶିବ ନାରାୟଣ ରଣା, ପୂର୍ବତନ ସ୍କୁଲ ପରିଚାଳନା କମିଟି ସଦସ୍ୟ ତ୍ରିପୁରା ଗଡତିଆ ,ଦୁର୍ବାଦଳ ସାହୁ, ବରିଷ୍ଟ ଶିକ୍ଷକ ଦିବ୍ୟ କିଶୋର ପଣ୍ଡା ଓ ପଞ୍ଚସଖା ଶିକ୍ଷା ସେତୁ କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ଭୋଇ, ପଞ୍ଚମ ପ୍ରଧାନ ସରପଞ୍ଚ ପ୍ରତିନିଧି କର୍ଣ୍ଣ ବିଭାର, ପୂର୍ବତନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, କାଶିରାମ ପ୍ରଧାନ, ଗୋପବନ୍ଧୁ ପୁରୋହିତ, ଭୁବନେଶ୍ୱର ପ୍ରଧାନ, ପୂର୍ବତନ ଛାତ୍ର ଡ଼ା.ସାନନ୍ଦ ବାଗ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର୍.ଡି.ଏ ବଲାଙ୍ଗୀର ତରଣି ସୁନା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ଅନନ୍ତ ପ୍ରଧାନ, ପ୍ରମୋଦ ପ୍ରଧାନ, ପ୍ରଦୀପ ଦୀପ ଏବଂ ଅନ୍ୟମାନେ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଗଡତିଆଙ୍କ ଆଦର୍ଶ ଓ ଛାତ୍ରବାତ୍ସଳ୍ୟ ଭାବ ବର୍ଣ୍ଣନା କରି ଜାରିଙ୍ଗ ସ୍କୁଲର ପ୍ରଗତିରେ ତାଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଗୁଣ ଗାନ କରିଥିଲେ । ପରବର୍ତ୍ତୀ ସମୟ ପାଇଁ ତାଙ୍କ ନିରୋଗ, ସୁଖମୟ ଜୀବନ ଯାପନ କାମନା କରିଥିଲେ। ସ୍କୁଲ ପ୍ରତି ରହିଥିବା ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସ୍କୁଲ ତରଫରୁ ମାନପତ୍ର, ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କୁ ଏକ ଶୋଭାଯାତ୍ରାରେ ବସ୍ତି ପରିକ୍ରମା କରାଇଥିଲେ । ଏହି ଅବସରରେ ପ୍ରତି ଘରେ ତାଙ୍କ ପାଦଧୌତ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପ୍ରିୟ ପ୍ରଧାନ ଶିକ୍ଷକଙ୍କ ଠାରୁ ଆଶୀର୍ବାଦ କାମନା କରାଯାଇଥିଲା । ନିସ୍କପଟ, ଛାତ୍ରବାତ୍ସଳ୍ୟ ଏହି ପ୍ରଧାନ ଶିକ୍ଷକଙ୍କ ପ୍ରତି ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଭଲ ପାଇବା ଦେଖି ଶୋଭାଯାତ୍ରା ସମୟରେ ସ୍ବତଃପୂର୍ତ ଭାବେ ଲୋକଙ୍କ ମୁହଁରୁ ଫୁଟି ଉଠୁଥିଲା …. “ଶିକ୍ଷକ ହେବ ତ ଏମିତି” ।

Leave a Comment

Your email address will not be published. Required fields are marked *

Scroll to Top