

ସମାଜ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ହିଁ ପ୍ରାତଃ ସ୍ମରଣୀୟ


ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ଏସ୍.ଏଚ୍.ଜି ଭବନ ଠାରେ ଦିବଙ୍ଗତ ଆଦର୍ଶ ଶିକ୍ଷକ ସ୍ବାଧୀନ କୁମାର ସାହୁଙ୍କୁ ତାଙ୍କର ଦ୍ବାଦଶାହ ଅବସରରେ ଆଜି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ବରିଷ୍ଠ ନାଗରିକ ସଂଘ ତଥା ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସମାରୋହରେ ତାଙ୍କର ବାଲ୍ୟ ବନ୍ଧୁ ଡାକ୍ତର ତହସିଲ ସାହୁ ଅଧ୍ୟକ୍ଷତା କରିଥିଲେ । କୃଷକ ନେତା ସୁବାଷ ପଧାନ, ଶିକ୍ଷାବିତ ଅରବିନ୍ଦ ସାହୁ, ସାହିତ୍ୟିକା ପ୍ରମୋଦିନୀ ସାହୁ, ସ୍ଥାନୀୟ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ପୁରାତନ ଛାତ୍ର ଅଜିତ କୁମାର ମେହେର ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ତୈଳଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ବାଧୀନ କୁମାର ସାହୁ ଥିଲେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷକ ନେତା, ଦକ୍ଷ ସଙ୍ଗଠକ ତଥା ନାଟ୍ୟକାର । ଛାତ୍ରବତ୍ସଳ୍ୟ ଶିକ୍ଷକ ତଥା ଶିକ୍ଷାର୍ଥୀଙ୍କୁ ଉତ୍ତମ ମାର୍ଗଦର୍ଶନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସମାଜ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ହିଁ ପ୍ରାତଃ ସ୍ମରଣୀୟ ହୋଇ ରହନ୍ତି । ସୁତରାଂ ସମାଜ ପ୍ରତି ରହିଥିବା ଦିବଙ୍ଗତ ଶିକ୍ଷକ ସ୍ବାଧୀନ କୁମାର ସାହୁଙ୍କ ରହିଥିବା ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମତପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଆକାଶବାଣୀ ଗୀତିକାର ମୋହନ ସିଂଙ୍କ ରଚିତ ମୃତ୍ୟୁ ସଚେତନତା ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର । ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ ସହ ଦିବଙ୍ଗତ ଶିକ୍ଷକଙ୍କ ସଂକ୍ଷିପ୍ତ ଜୀବନୀ ପାଠ କରିଥିଲେ । ଏହି ଅବସରରେ ଦିବଙ୍ଗତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସଙ୍କଳିତ ଶ୍ରଦ୍ଧାଞ୍ଜଳୀ ସ୍ମରଣିକା ଲୋକାର୍ପିତ ହୋଇଥିଲା । ତାଲପଦର କଲେଜ ଅଧ୍ୟକ୍ଷ ସୁକୁମାର ଭୋଇ, ପ୍ରାକ୍ତନ ଅଧ୍ୟାପକ ରେବନ୍ତ ମେହେର, ଦେଶବନ୍ଧୁ ସ୍ବାଇଁ, ରାଜଶ୍ରୀ ପତି, ଜନାର୍ଦ୍ଦନ ଡନସନା, ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଭାଗବତ ସାହୁ, ଈଶ୍ବର ମେହେର, ପାଣ୍ଡବ ପଧାନ, ସୌଦାମିନୀ ମାଝୀ, ବଳଦେବ ସୁନା, ଡମ୍ବରୁଧର ମେହେର, ମିଳିତ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ ସମେତ ବହୁ ଶିକ୍ଷକ ତଥା ପୁରାତନ ଛାତ୍ର ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ନାଗରିକ ସଂଘର ସଦସ୍ୟ ପ୍ରେମରାଜ ପଟେଇ ସଭାକୁ ପରିଚାଳନା କରିଥିଲେ ।





