

ଦିବ୍ୟ ଜୀବନ ପ୍ରାପ୍ତି ପାଇଁ ଘରୋଇ ପାଠଚକ୍ର ଆବଶ୍ୟକ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସଭାପତି ଲୋକନାଥ ମେହେର ମାତୃ ପତାକା ଉତ୍ତୋଳନ କରିଥିଲେ । ଅପରାହ୍ନରେ ଶ୍ରୀଅରବିନ୍ଦ ପାଠଚକ୍ରର ଟ୍ରଷ୍ଟି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନବଜୀବନ ଶିକ୍ଷା ସଂସଦ କଟକର ସଦସ୍ୟ ପ୍ରାଧ୍ୟାପକ ଧନପତି ଦେବତା ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ମାନବୀୟ ଜୀବନରେ ସ୍ବାଧୀନତାର ସ୍ବାଦ ଅନୁଭବ କରିବାରେ ଶ୍ରୀଅରବିନ୍ଦଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସଙ୍ଗତି ମଣ୍ଡଳର ଆବାହକ ପ୍ରଫେସର ଡକ୍ଟର ଉପେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଦିବ୍ୟ ଜୀବନ ପ୍ରାପ୍ତି ପାଇଁ ଶ୍ରୀଅରବିନ୍ଦ ଘରୋଇ ପାଠଚକ୍ରର ଆବଶ୍ୟକତା ଉପରେ ବିଶଦ ଆଲୋଚନା କରିଥିଲେ । ସଭାପତି ଲୋକନାଥ ମେହେର, ଆତ୍ମରକ୍ଷା କୌଶଳର ଜିଲ୍ଲା ପ୍ରଶିକ୍ଷକା ମୀନାକ୍ଷୀ ରାଣୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ସାମିଲ ଥିଲେ ଛାତ୍ରୀ ଅରୋପ୍ରିୟା ଓ ସାଥୀ ମାତୃ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଲାଲ ସାହେବ ବଗର୍ତ୍ତୀ ସ୍ବାଗତ ଭାଷଣ, ସମ୍ପାଦକ ଦେବାର୍ଚ୍ଚନ ସାହୁ ଅତିଥି ପରିଚୟ,ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଟ୍ରଷ୍ଟି କୁନ୍ତଳା ସାହୁଙ୍କ ସଂଯୋଜନା ତଥା ଶିକ୍ଷକ ଚୂଡାମଣି ତାଣ୍ଡି ଓ ଶିଶିର ସେଠଙ୍କ ପରିଚାଳନାରେ ବିଜେପୁର, ଗଣ୍ଠିଆପାଲି ଶିକ୍ଷା କେନ୍ଦ୍ରର ଶିକ୍ଷାର୍ଥୀଙ୍କ ମଧ୍ୟରେ ଦଳଗତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ରାସେଶ୍ବରୀ ପଧାନ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ଟ୍ରଷ୍ଟି ଅଧ୍ୟାପକ ଶାନ୍ତନୁ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।



