

ହୋଟେଲ ଲଜିଜ୍ ଟାଓ୍ବାର୍ ଠାରେ ବହି ଉନ୍ମୋଚନ
ସମ୍ବଲପୁର/ବୁର୍ଲା : ରବିବାର ସକାଳ ୧୧ ଟା ସମୟରେ ବୁର୍ଲା ହୋଟେଲ୍ ଲଜିଜ୍ ଟାଓ୍ବାର୍ ଠାରେ କବି/କଳାକାର ଶ୍ରୀଯୁକ୍ତ ଅର୍ଜୁନ ମେହେରଙ୍କ ତୃତୀୟ ପ୍ରକାଶନ ଏକ ସାମାଜିକ କାବ୍ୟ “ରାଁଡି ଛାର୍ରୀ, ବଞ୍ଝେନ୍” ଉନ୍ମୋଚିତ ହୋଇଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯଥା – ବ୍ୟଙ୍ଗକବି/ଗୀତିକାର ଦୁର୍ଗା ମାଧବ ପଣ୍ଡା, ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ବିଶିଷ୍ଟ କବି/ଗାଳ୍ପିକ ଦୀନବନ୍ଧୁ ପଣ୍ଡା, କବି/ଗୀତିକାର ଶିବ ଶଙ୍କର ପ୍ରଧାନ, ସମ୍ବଲପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ଡ. ଗୋପିନାଥ ବାଗ, ବିଶିଷ୍ଟ ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା, ପୂର୍ବତନ ପିଜି କାଉନସିଲ ଚେୟାରମେନ ପ୍ରଫେସର ବିଶ୍ବଜିତ ଶତପଥି, ତଥା ନିଜେ ସ୍ରଷ୍ଟା କବି ଶ୍ରୀ ଅର୍ଜୁନ ମେହେର ମଞ୍ଚାସୀନ ଥିଲେ । ପ୍ରଥମେ ଚିରାଚରିତ ଭାବେ ମାଁ ସମଲେଇଙ୍କ ଫଟୋଚିତ୍ର ଠାରେ ଅତିଥିଗଣ ଦୀପ ପ୍ରଜ୍ବଳନ କଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ଅତିଥିଗଣଙ୍କୁ ସମ୍ମାନୀତ କରାଯିବା ସହିତ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ୨୦୨୫ ମସିହା ପାଇଁ ଚଳଚ୍ଚିତ୍ର ଶ୍ରେଷ୍ଠ ଗୀତିକାର ସମ୍ମାନ ପାଇଥିବା ଗୀତିକାର ଦୁର୍ଗା ମାଧବ ପଣ୍ଡାଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଏହାପରେ କବି ଅର୍ଜୁନ ମେହେରଙ୍କ ତୃତୀୟ ପ୍ରକାଶନ ସାମାଜିକ କାବ୍ୟ “ରାଁଡି, ଛାର୍ରୀ, ବାଞ୍ଝେନ୍” ପୁସ୍ତକ ଅତିଥିଗଣଙ୍କ ଦ୍ବାରା ଉନ୍ମୋଚନ ହେଲା ପରେ ପ୍ରଫେସର ବିଶ୍ବଜିତ ଶତପଥି ଏହାର ସମୁଚିତ ସମୀକ୍ଷା ଓ ଆଲୋଚନା କରିଥିଲେ । ଉକ୍ତ ବହିର ଚରିତ୍ର ମାନଙ୍କୁ ନେଇ କବି/ଗୀତିକାର ଶିବ ଶଙ୍କର ପ୍ରଧାନ ସ୍ବରଚିତ ଗୀତିକବିତା ଗାୟନ କରିଥିଲେ ଯାହା ହୃଦୟସ୍ବର୍ଶି ହୋଇଥିଲା । କବି/ଶିକ୍ଷକ ସୁଶାନ୍ତ ଭୋଇ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ବିଶିଷ୍ଟ କବି ସନତ ସାହୁ ସହଯୋଗ କରିଥିଲେ ।



