

ଏସ୍ଆଇଆର୍ ନିମନ୍ତେ ବରଗଡ଼ ଜିଲ୍ଲାରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ
ବରଗଡ଼ : ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୟଲଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ବା ଏସ୍ଆଇଆର୍–୨୦୨୬ ସମ୍ପର୍କରେ ସମଗ୍ର ଜିଲ୍ଲାବାସୀ ତଥା ମତଦାତାଙ୍କ ମଧ୍ୟରେ ସଠିକ ସୂଚନା ପହଞ୍ଚାଇବା ସହ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଜିଲ୍ଲାବ୍ୟାପୀ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ସମସ୍ତ ବିଏଲଓ ଘରକୁ ଘର ପରିଦର୍ଶନ କରି ପରିଗଣନା ଫର୍ମ ପ୍ରଦାନ କରିବା ସମୟରେ ଫର୍ମଟିକୁ ସଠିକ୍ ଭାବରେ ପୂରଣ କରିବାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବା ସହ ଏସ୍ଆଇଆର୍ ବିଷୟରେ ସଚେତନ କରୁଥିବା ବେଳେ ପ୍ରଚାର ଯାନରେ ଡାକବାଜି ଜନ୍ତ୍ର ଯୋଗେ ସମଗ୍ର ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ବାର୍ତ୍ତାର ପ୍ରଚାର ପ୍ରସାର କରାଯାଉଛି । ସେହିପରି ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସଚେତନତାମୂଳକ ଭିଡିଓ ଓ ବାର୍ତ୍ତା ପ୍ରଦର୍ଶନ କରାଯାଉଛି । ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲାର କମ୍ୟୁନିଟି ରେଡିଓ କେନ୍ଦ୍ର ମାଧ୍ୟମରେ ଏସ୍ଆଇଆର୍ ଉପରେ ରେଡିଓ ଜିଙ୍ଗଲ୍ ପ୍ରସାରଣ କରିବା ସହ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସାର୍ବଜନୀନ ସ୍ଥାନ ଓ ବିଭିନ୍ନ ଜନସମାଗମ ସ୍ଥଳରେ ପାମ୍ଫ୍ଲେଟ୍ ଓ ଲିଫଲେଟ୍ ବଣ୍ଟନ କରାଯାଉଛି। ଜିଲ୍ଲାର ପ୍ରମୁଖ ତଥା ଜନଗହଳୀପୂର୍ଣ୍ଣ ସ୍ଥାନମାନଙ୍କରେ ହୋର୍ଡିଂ ଓ ସଚେତନତା ବାର୍ତ୍ତା ସହିତ ସାଇନେଜ୍ ସ୍ଥାପନ କରାଯାଇଛି । ଏତଦ୍ ବ୍ୟତୀତ, ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସଂଶାଧନ କିମ୍ବା ସ୍ଥାନାନ୍ତରଣ ଭଳି ବିଭିନ୍ନ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରିବା ସହ ଏସ୍ଆଇଆର୍ ସମ୍ବନ୍ଧୀୟ ସୂଚନା ଓ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ସହାୟତା କେନ୍ଦ୍ରମାନ ଖୋଲାଯାଇଛି । ଏସ୍ଆଇଆର୍ ସମ୍ପର୍କିତ ଭ୍ରାନ୍ତ ସୂଚନା ଓ ଗୁଜବ ଉପରେ ନଜର ରଖାଯାଇ ତ୍ୱରିତ ଭାବେ ସଠିକ୍ ପ୍ରାମାଣିକ ସୂଚନାର ପ୍ରସାର ପ୍ରଚାର ପାଇଁ ଜିଲ୍ଲା ମୁଖ୍ୟାଳୟରେ ଏକ ମିଡିଆ କମ୍ୟୁନିକେସନ୍ ରୁମ୍ ସ୍ଥାପନ କରାଯାଇଛି । ଏହି ଅବସରରେ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଗୋୟଳ ସମଗ୍ର ଜିଲ୍ଲାବାସୀ ତଥା ସମସ୍ତ ମତଦାତା ଏସ୍ଆଇଆର୍ ସମ୍ପର୍କିତ କୌଣସି ଭ୍ରାନ୍ତ ସୂଚନା ଓ ଗୁଜବ ଉପରେ ବିଶ୍ବାସ ନ କରି ଜିଲ୍ଲା ପ୍ରଶାସନର ସଚେତନତା ଅଭିଯାନରେ ସକ୍ରିୟ ଭାଗିଦାର ହେବା ସହ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।


