ତାଲପଦରରେ ଭଲିବଲ ପ୍ରଶିକ୍ଷଣ ଶିବିର

ଯୁବମାନଙ୍କ ଉତ୍ସାହ, ଝିଅମାନଙ୍କ ପାଇଁ ନୂଆ ଦିଗ

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ କେଭିଏଲ (କଳିଙ୍ଗ ଭଲିବଲ ଡେଭଲପମେଣ୍ଟ କାଉନ୍ସିଲ), ଭୁବନେଶ୍ୱର ତରଫରୁ ଦୁଇ ଦିନିଆ ଭଲିବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଯୁବପିଢ଼ୀଙ୍କୁ ଖେଳ ପ୍ରତି ଆକର୍ଷିତ କରିବା ସହିତ ସମାଜକୁ ଏକ ସକାରାତ୍ମକ ସନ୍ଦେଶ ଦେଇଥିବା ଏହି ଶିବିରରେ ଗ୍ରାମର ଅନେକ ଯୁବକ ଓ ଯୁବତୀ ଉତ୍ସାହର ସହିତ ଯୋଗଦେଇଥିଲେ । ଭଲିବଲ ଖେଳ ପ୍ରତି ସେମାନଙ୍କ ଆଗ୍ରହ ଓ ଉତ୍ସାହ ପ୍ରଶଂସାନୀୟ ଥିଲା । ପ୍ରଶିକ୍ଷଣ ସମୟରେ କେଭିଏଲର ପ୍ରଶିକ୍ଷକମାନେ ଭଲିବଲ ଖେଳର ମୂଳ ଟେକନିକ ସାର୍ଭିସ, ପାସିଂ, ବ୍ଲକିଂ, ଟିମ୍ଓ୍ବାର୍କ ସହିତ ଫିଟନେସ ଓ ଶିଷ୍ଟାଚାର ବିଷୟରେ ବିସ୍ତୃତ ଶିକ୍ଷା ଦେଇଥିଲେ । ସେମାନେ କହିଥିଲେ ଯେ ଖେଳ କେବଳ ମନୋରଞ୍ଜନ ନୁହେଁ, ବରଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ଶକ୍ତିଶାଳୀ ମାଧ୍ୟମ । ପ୍ରଶିକ୍ଷକ ଆଶୁତୋଷ ପାତ୍ର କହିଥିଲେ ଯେ, ଏପର୍ଯ୍ୟନ୍ତ ଓଡ଼ିଶାର ୧୩ଟି ଜିଲ୍ଲାରେ ଏହିପରି ପ୍ରଶିକ୍ଷଣ ଶିବିର ସଫଳତାର ସହିତ ଆୟୋଜିତ ହୋଇସାରିଛି । ସେମାନଙ୍କର ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ଜିଲ୍ଲାକୁ ପହଞ୍ଚି ଗ୍ରାମାଞ୍ଚଳର ଲୁଚିଥିବା ପ୍ରତିଭାକୁ ଚିହ୍ନଟ କରିବା ଓ ସଠିକ ମାର୍ଗଦର୍ଶନ ଯୋଗାଇବା । ଶିବିରର ଅନ୍ୟତମ ବିଶେଷତା ହେଉଛି ଝିଅମାନଙ୍କ ସକ୍ରିୟ ଭାଗୀଦାରୀ ।

ଗ୍ରାମର ଅନେକ ଝିଅମାନେ ଉତ୍ସାହର ସହିତ ଏହି ପ୍ରଶିକ୍ଷଣରେ ଯୋଗଦେଇ ଭଲିବଲ ପ୍ରତି ନିଜର ଆଗ୍ରହ ପ୍ରକାଶ କରିଥିଲେ । ପ୍ରଶିକ୍ଷକ ସାହିଲ ଦ୍ୱିବେଦୀ କହିଥିଲେ ଯେ, ଖେଳ ମାଧ୍ୟମରେ ଝିଅମାନେ ଆତ୍ମବିଶ୍ୱାସୀ ହେବା ସହ ସ୍ୱାସ୍ଥ୍ୟ ସଚେତନ ହେବେ ଏବଂ ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିପାରିବେ । ଶିକ୍ଷୟିତ୍ରୀ ବିଆର ମୁଜୁନ୍ଦର ମତ ପ୍ରକାଶ କରି କହିଥିଲେ ଯେ, ଆଜିବି କିଛି ଗ୍ରାମାଞ୍ଚଳରେ କମ୍ ବୟସରେ ଝିଅମାନଙ୍କ ବିବାହ ଘଟୁଛି, ଯାହା ତାଙ୍କର ଭବିଷ୍ୟତକୁ ପ୍ରଭାବିତ କରୁଛି । ଏହାକୁ ରୋକିବା ପାଇଁ ଖେଳ ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରେ ବୋଲି ସେ କହିଥିଲେ । ଶିବିରରେ ଗ୍ରାମାଞ୍ଚଳରେ ଖେଳ ସଂସ୍କୃତିକୁ ଉତ୍ସାହିତ କରିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନର ଏକ ଉଦାହରଣ ସୃଷ୍ଟି କରିଛି । ଗ୍ରାମବାସୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଚାଲୁ ରହୁ ବୋଲି ଆଶା ପ୍ରକାଶ କରିଛନ୍ତି । ଶିବିରର ସଫଳତା ପାଇଁ ଗ୍ରାମର ଖେଳ ଶିକ୍ଷକ ହୃଦମଣି ସାହୁ, ସୁଦର୍ଶନ ବନଛୋର, ଭଗବାନ ସାହୁ, ସୁଧାଂଶୁ ପଧାନ, ତେଜକୁମାର ପଧାନ, ମୁକେଶ ସାହୁ ଓ କିଶୋର ଭୋଇ ମୁଖ୍ୟ ଭୂମିକା ନିଭାଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top