

ବରପାଲିରେ ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନର ଶୁଭ ଉଦଘାଟନ
ବରଗଡ/ବରପାଲି : ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଧବାର ଦୁଇଟି ବିକାଶମୂଳକ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନକୁ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିୟାଙ୍କ କରକମଳରେ ଲୋକାର୍ପିତ ହୋଇଛି । ଉଦଘାଟନୀ ଉତ୍ସବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଦୀନେଶ ଗହୀର, ଉପଧ୍ୟକ୍ଷା ଶ୍ରୀମତୀ ସୁପ୍ରିତା ଜେନା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଭୁବନ କୁମାର ଶତପଥି, ପୌର ଯନ୍ତ୍ରୀ କୈଳାସ କୁମାର ଉର୍ମା, ସହକାରୀ ଯନ୍ତ୍ରୀ ଅଜୟ କୁମାର ପାତ୍ର ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ । ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନ ଜଣାଯାଇଥିଲେ । ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ମାଧ୍ୟମରେ ସରକାରୀ ଯୋଜନା, ସଚେତନତା ସନ୍ଦେଶ ଓ ବିଭିନ୍ନ ଜରୁରୀ ସୂଚନା ସହଜରେ ସାଧାରଣ ଲୋକଙ୍କ ପହଞ୍ଚିବ ଓ ଏହା ଡିଜିଟାଲ ପ୍ରଣାଳୀ ମାଧ୍ୟମରେ ସୂଚନା ପ୍ରସାରଣରେ ଏକ ନୂତନ ପଦକ୍ଷେପ ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତିୟା ପ୍ରକାଶ କରିଥିଲେ । ସେହିପରି ନୃପଲାଲ ଉଦ୍ୟାନ ସ୍ଥାନୀୟ ଲୋକଙ୍କ ପାଇଁ ବିଶ୍ରାମ ଓ ବିନୋଦନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ପରିଣତ ହେବ ବୋଲି ମତ ପ୍ରକାଶ କରିଥିଲେ । ବରପାଲିର ସମଗ୍ର ଉନ୍ନତି ପାଇଁ ପରିଷଦ ପକ୍ଷରୁ ନିରନ୍ତର ପ୍ରୟାସ ଚାଲିଛି ଓ ଆଗାମୀ ଦିନରେ ଆହୁରି ଅନେକ ଲୋକହିତକାରୀ ପ୍ରକଳ୍ପ କାର୍ଯ୍ୟକରୀ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଗହୀର ପ୍ରକାଶ କରିଥିଲେ । ଶେଷରେ,ଯ ଏହି ପଦକ୍ଷେପକୁ ସ୍ୱାଗତ କରି ବରପାଲିର ଉନ୍ନତି ଦିଗରେ ଏକ ମୂଲ୍ୟବାନ ଅଧ୍ୟାୟ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଥିଲେ ।



