୧୬ତମ ରଜ୍ୟସ୍ତରୀୟ ଉତ୍ତାଳଗଡ଼ ନାଟ ଉଚ୍ଛବ ଉଦଘାଟିତ

“ନାଟକ ସମାଜରେ ଆଲୋଡନ ସୃଷ୍ଟି କରିଥାଏ”

ବରଗଡ/ବିଜେପୁର : ସମାଜରେ ଘଟୁଥିବା ଘଟଣା ଗୁଡ଼ିକ ନାଟକ ମାଧ୍ୟମରେ ଅଧିକ ପ୍ରଭାବ ସୃଷ୍ଟି କରିଥାଏ । ତେଣୁ ସମସ୍ତ ବିଦ୍ବେଷଠାରୁ ଉର୍ଦ୍ଧ୍ବରେ ରହି ସମାଜ ଗଠନ ପାଇଁ ନାଟକ ଚେତନା ସୃଷ୍ଟି କରିବାର ଆବଶ୍ୟକ‌ତା ରହିଛି ବୋଲି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମରେ ଆୟୋଜିତ ଉତ୍ତାଲଗଡ଼ ନାଟ୍ୟ ମହୋତ୍ସବରେ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଆବାହକତ୍ବ ତଥା ଅନୁଷ୍ଠାନର ସଭାପତି ହୃଦମଣି ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସନତ ଗଡ଼ତିଆ ବରେଣ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ମାଁ ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ପାଦକ ସୁଶାନ୍ତ ରଞ୍ଜନ ପଧାନ ବିବରଣୀ ପଠନ କରିଥିଲେ । ବରିଷ୍ଠ ସଦସ୍ୟ ଗଜାନନ ସାହୁ ଓ ବିବେକାନନ୍ଦ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଢ଼ଲିଆଁ ଖୁସା ବରଗଡର କଳାକାରମାନେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ ।

ଏହାପରେ ନାଟ୍ୟକାର ଅତିଶ କୁମାର ଶତପଥିଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଫେର ସେ ଶ୍ରବଣ” କୁ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁରର କଳାକାର ମାନେ ପରିବେଷଣ କରିଥିଲେ । ସେଦିନ ଶ୍ରବଣ କୁମାର ବାପା ମାଆଙ୍କ ପାଇଁ ସମର୍ପିତ ଥିଲେ । କିନ୍ତୁ ଆଜିକାଲି ବାପା ମାଆଙ୍କ ଭାବନାକୁ ବୁଝିବା ପାଇଁ ପୁଅ ଝିଅଙ୍କ ପାଖରେ ସମୟ ନାହିଁ । ପଳାୟନ କରୁଥିବା ଟ୍ରେନକୁ ଦେଖି ନୀରବ ପଡି ରହିଥିବା ପ୍ଲାଟଫର୍ମ ଭଳି ବାପା ମାଙ୍କ କରୁଣ ଚିତ୍ରକୁ ବିଭିନ୍ନ ଦୃଶ୍ୟ ପଟ ମାଧ୍ୟମରେ କଳାକାରମାନେ ପରିବେଷଣ କରିଥିଲେ ।

ସେହିପରି ବୁଦ୍ଧଦେବ ମେହେର ମହାବିଦ୍ୟାଳୟ ଦହିତାର ଛାତ୍ର ଛାତ୍ରୀ ମାନେ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ନୂଆଁ ଖାଇର ଭାବ” କୁ ମାର୍ମିକ ଭାବରେ ପରିବେଷଣ କରିଥିଲେ । ମାଁ ମାଟି, ସଂସ୍କୃତିର ଅସଲ ରକ୍ଷକ ହେଉଛି ଜଣେ କୃଷକ । ପରିବାରକୁ ସଜାଡିବା ପାଇଁ ଜଣେ କୃଷକଙ୍କ ନିଃସ୍ବାର୍ଥ ସମର୍ପଣ ଓ କୃଷି ପର୍ବର ନିଆରା ଦର୍ଶନର ନିଖୁଣ ପାରିବାରିକ କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଆଣିଥିଲା । ସେହିପରି ନାଟ୍ୟକାର ଅଶୋକ ବହିଦାର ଓ ଡ.ତୁଷାର କାନ୍ତ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ବୁକା” କୁ ଡ୍ରାମା ଚେତନାର କଳାକାର ମାନେ ପରିବେଷଣ କରିଥିଲେ । ମଣିଷ ନିଜର ସ୍ବାର୍ଥ ପାଇଁ ଭଗବାନଙ୍କୁ ବି ଲୋଭ ଦେଖାଇ ବଳି ଦେଇ ଥାଏ । ମାତ୍ର ନିଜ ସ୍ୱାର୍ଥରେ ବାଧା ସୃଷ୍ଟି ହେଲେ ସୃଷ୍ଟିକର୍ତାଙ୍କୁ ବି ଠକିବାକୁ ଉଦ୍ୟମ କରିଥାଏ । ହାସ୍ୟରସାତ୍ମକ ଓ ବ୍ୟଙ୍ଗ ବିଦ୍ରୁପ ଭରା ଭିନ୍ନ ସ୍ବାଦର ଏହି ନାଟକକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି, ସମ୍ପଦକଙ୍କ ସମେତ ଭାସ୍କର ସାହୁ, ଅନାଦି ନନ୍ଦନ ପ୍ରଧାନ, ଟଙ୍କଧର ସାବତ, ସୁଦର୍ଶନ ବନଛୋର, ଖଗେଶ୍ବର ସାହୁ, ତରଣୀ ବିଶ୍ବାଳ, ମୁକେଶ ସାହୁଙ୍କ ସମେତ କମିଟୀର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top