

ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ଉଛବର ପ୍ରସ୍ତୁତି
ବରଗଡ଼/ବିଜେପୁର : ବରଗଡ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁରର ବଛରକିଆ ଉଛବ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ସାବିତ୍ରୀ ମେହେର, କିଶୋର ଗଡତିୟା, ଦେବେନ୍ଦ୍ର ମଟାରୀ, ବିଜୟ ବେଶ୍ରା, ବୁଲୁ ପଧାନ, ଯୁଗେଶ୍ବର ତାଣ୍ଡି, ପୂର୍ଣ୍ଣ ଚନ୍ଦ୍ର ମେହେର, ମନୋଜ ପାଣ୍ଡେ, ହେମରେଣୁ ମେହେର ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ । ସଂପାଦକ ରାଜେଶ୍ବର ବେହେରା ବୈଠକରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଗାମୀ ଫେବୃଆରୀ ୧୮ରେ ପରିଷଦର ବଛରକିଆ ଉଛବ ଅବସରରେ ବିଶିଷ୍ଟ କଳାକାର ତୁଳସୀ ପ୍ରସାଦ ଗଡତିୟାଙ୍କ ଜୟନ୍ତୀ ଓ ସାହିତ୍ୟାପ୍ରାଣ କବି ଖଗେଶ୍ବର ଶେଠଙ୍କର ପୁଣ୍ୟ ତିଥି ପାଲନ କରାଯିବାକୁ ନିଷ୍ପତ୍ତି ହୋଇଛି । ଉକ୍ତ ଦିନ ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ତୁଳସୀ ପ୍ରସାଦ ଗଡତିୟା ବ୍ଲକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ ରୁ ନବମ ଶ୍ରେଣୀର ଶିକ୍ଷାର୍ଥୀ ଅଂଶଗ୍ରହଣ କରିପାରିବେ । ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ପ୍ରତିଭାଙ୍କ ଜୟନ୍ତୀ ଓ ପୁଣ୍ୟ ତିଥି ପାଳନ, ତୃତୀୟ ପର୍ଯ୍ୟାୟରେ ସମ୍ବଲପୁରୀ କବିତା ଆସର, ଚତୁର୍ଥ ପର୍ଯ୍ୟାୟରେ ସମ୍ବଲପୁରୀ ନୃତ୍ୟ ମହୋଛବ, ପଞ୍ଚମ ପର୍ଯ୍ୟାୟରେ ସଙ୍ଗୀତ ସମାରୋହ ଏବଂ ଅନ୍ତିମ ପର୍ଯ୍ୟାୟରେ ସମ୍ବଲପୁରୀ ଲୋକନୃତ୍ୟ, ନାଟକ ପରିବେଷଣ କରାଯିବାକୁ ପ୍ରସ୍ତାବ ହୋଇଛି ।ଏହା ବ୍ୟତୀତ ସାହିତ୍ୟ ଓ କଳା କ୍ଷେତ୍ରରେ ଦୁଇ ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ଉପରେ ବିଶଦ ଆଲୋଚନା ହୋଇଥିଲା । ସହ-ସମ୍ପାଦକ ମକରଧ୍ବଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


