

ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ଯୋଗଦାନ


ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଗ୍ରାମରେ ଆୟୋଜିତ ତିନି ଦିନିଆଁ “ଭୀମ ଗୁଡି” ପ୍ରତିଷ୍ଠା ଉତ୍ସବ ଅନ୍ତିମ ଦିବସର କାର୍ଯ୍ୟକ୍ରମ ରୀତିନିତି ଅନୁସାରେ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିବା ଉକ୍ତ ଉତ୍ସବର ତୃୃତୀୟ ଦିବସ ସକାଳ ୯ଟା ସମୟରୁ ବିଧି ପୂଜା ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇ ମନ୍ଦିର ଶୋଧନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା, ହୋମ, ଯୂପ ସ୍ଥାପନ, ଶିଖର କଳସ ସ୍ଥାପନ ଓ ଧ୍ବଜା ଆରୋହଣ ପରେ ବିଗ୍ରହଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା । ସମସ୍ତ ଧାର୍ମିକ ନୀତିକାନ୍ତି ପାରମ୍ପରିକ ବିଧିବିଧାନ ଅନୁସାରେ ସମ୍ପାଦିତ ଏହି ପବିତ୍ର ଅବସରରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଯୋଗଦେଇ ମନ୍ଦିର ଦର୍ଶନ ସହିତ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ ଓ ଏପରି ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଅତୁଟ ରଖିବା ପାଇଁ ଆହ୍ୱାନ କରି ଗ୍ରାମୀଣ ସମାଜର ଏକତା ଓ ସମନ୍ୱୟକୁ ଏହା ମଜବୁତ କରେ ବୋଲି ଗ୍ରାମବାସୀଙ୍କୁ କହିଥିଲେ ।


ଗାମବାସୀଙ୍କ ଅକୁଣ୍ଠ ସହଯୋଗରେ କର୍ତ୍ତା ଭାବେ ଚିନ୍ତାମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ପ୍ରତିମା ସାହୁ ସମର୍ପିତ ଭାବନାରେ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ । ପଣ୍ଡିତ ନରେନ୍ଦ୍ର କୁମାର ଦାଶ, ନରେନ୍ଦ୍ର ପଣ୍ଡା, ପୂଜକ ପଣ୍ଡିତ ମୁନ୍ନା ଦାଶ ଓ ପିଣ୍ଡୁ ମହାପାତ୍ରଙ୍କ ସହ ଗ୍ରାମ ଦେବାଦେବୀଙ୍କ ପୂଜକ ଝାଙ୍କର ଶାନ୍ତି ବରିହା ଓ ତାଙ୍କ ପୁତ୍ର ମଙ୍ଗଳୁ ବରିହା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପୌରାଣିକ ବିଶ୍ୱାସ ଅନୁଯାୟୀ ମାଁ ବାଞ୍ଜିତଳିଏନ୍ ସ୍ୱୟଂକୁ ଲିଙ୍ଗ ଭାବରେ ପ୍ରକଟିତ ହୋଇ ଗ୍ରାମଦେବତା ଭାବେ ପୂଜା ପାଇଆସୁଥିବା ବେଳେ ତାଙ୍କ ସହିତ ବୁଢ଼ାରଜା, ସମଲେଇ, ଭୀମ, ହନୁମାନ ବୀର, ଭୁବୁରାତଳିଏନ୍ ପ୍ରମୁଖ ଦେବାଦେବୀ ଗ୍ରାମର ଆସ୍ଥାର ପ୍ରତୀକ ଭାବେ ପୂଜିତ । ଦିନବେଳା ପାରାୟଣ, କବିତା ପାଠ, ମୀନାବଜାର ଓ ଅହୋରାତ୍ର ଅନ୍ନଭୋଗ ବ୍ୟବସ୍ଥା ଉତ୍ସବକୁ ଆନନ୍ଦମୟ କରିଥିବ ବେଳେ, ରାତିରେ ପ୍ରସିଦ୍ଧ କୁମ୍ଭାରୀ ଭଗବାନ ପାର୍ଟିଙ୍କ ନାଟକ ବିଶେଷ ଭାବେ ଦର୍ଶକ ମନୋରଞ୍ଜନ କରିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷାରେ ବିଜେପୁର ପୋଲିସ ବିଶେଷ ନିଭାଇଥିଲେ ।




