

ପାଳିତ ହେଲା ତିନିଜଣ ଜାତୀୟ ବୀରଙ୍କ ଜୟନ୍ତୀ ଉତ୍ସବ
ସମ୍ବଲପୁର : ସମ୍ୱଲପୁର ମହାନଗର ଅନ୍ତର୍ଗତ ଦୁର୍ଗାପାଲି ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଜସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି ପକ୍ଷରୁ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକା ସାଙ୍ଗରେ ତିନିଜଣ ବରପୁତ୍ର ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ ତମ ଜୟନ୍ତୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୩୦ ତମ ଜୟନ୍ତୀ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଙ୍କ ୧୦୩ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତିର ପ୍ରତିଷ୍ଠାତା ସଭାପତି ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ଝସକେତନ ପ୍ରଧାନ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ହରି ଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ କୀର୍ତ୍ତନ ମେହେର ଏବଂ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଯୋଗେଶ୍ୱର ବନଛୋର ଯୋଗଦାନ କରିଥିଲେ । ସ୍ମୃତି ସମିତିର ସଂଯୋଜକ ଶ୍ରୀଯୁକ୍ତ ବଳରାମ ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ | ପ୍ରାରମ୍ଭରେ ପବିତ୍ର ମନ୍ତ୍ରୋଚ୍ଚାରଣ ମଧ୍ୟରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମାଁ ସମଲେଶ୍ୱରୀ ଏବଂ ତିନି ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଦେଶଭକ୍ତି ସଙ୍ଗୀତ ଗାୟନ କରାଯାଇଥିଲା । ମାତୃଭୂମିକୁ ବିଦେଶୀ ଶାସନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ଯେଉଁ ଅସୀମ ତ୍ୟାଗ ଓ ବଳିଦାନ ଦେଇ ଯାଇଛନ୍ତି, ସେଥିପାଇଁ ସେମାନେ ଆମର ଚିର ନମସ୍ୟ, ଚିର ସ୍ମରଣୀୟ ଏବଂ ଚିର ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ | ସଯିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୮୨୭ ମସିହାରୁ ଜାତୀୟ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ମାଟିରେ ବିଦେଶୀ ଇଂରେଜ ଶାସନ ବିରୁଦ୍ଧରେ ଦୁଇଟି ପର୍ଯ୍ୟାୟରେ ଯେଉଁ ଦୀର୍ଘ ୨୦ ବର୍ଷ କାଳ ଜବରଦସ୍ତ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଦୀର୍ଘ ୩୭ ବର୍ଷ ବନ୍ଦୀ ଜୀବନ ଯାପନ କରି ପରିଶେଷରେ ୭୫ ବର୍ଷ ବୟସରେ କାରାଗାରରେ ବଳିଦାନ ହୋଇ ଯାଇଥିଲେ, ଏଭଳି ଘଟଣା ସମଗ୍ର ବିଶ୍ୱ ଇତିହାସରେ ବିରଳ ବୋଲି ସଭାପତି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦ୍’ବୋଧନରେ କହିଥିଲେ | ଜଣେ ଜାତୀୟ ବୀର ଭାବରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ସାରା ଓଡ଼ିଶାରେ ଏବଂ ସମଗ୍ର ଦେଶରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ ବୋଲି ବକ୍ତାମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ଏହି ସମାରୋହରେ ସ୍ବାଧୀନତା ସଂଗ୍ରାମୀ ନାରାୟଣ ମେହେର ସ୍ମୃତି ସମିତି ପକ୍ଷରୁ ଦୁର୍ଗାପାଲି ଅଞ୍ଚଳର ୩୦ଟି ଗରିବ ପରିବାରର ଅସହାୟ ଭିନ୍ନକ୍ଷମ ବୃଦ୍ଧବୃଦ୍ଧା ମାନଙ୍କୁ ମଞ୍ଚାସୀନ ଅତିଥି ମାନେ କମ୍ବଳ ବଣ୍ଟନ କରିଥିଲେ । କମ୍ବଳ ବ୍ୟବସ୍ଥା ଏବଂ ବିତରଣରେ ମୁକ୍ତି ସଂଗ୍ରାମୀ ନାରାୟଣ ମେହେରଙ୍କ ଦାୟାଦ ମାନେ ସହଯୋଗ କରିଥିଲେ । ଶ୍ରୀମତୀ ଶିବପ୍ରିୟା ସାହୁ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅଶୋକ କୁମାର ସାହୁ, ଜନାର୍ଦ୍ଦନ ମେହେର, ରାଜାରାମ ବାରିକ, ଗୋଲକ ବିହାରୀ ମେହେର, ଅମୃତ କୁମାର ନାୟକ, ଚୈତନ୍ୟ ମେହେର, ଶିବ ଶମ୍ଭୁ ୟାଦବ, ଜୟ ମଙ୍ଗଲ ସାହୁ, ଶେଷଦେବ ବଗର୍ତ୍ତୀ, ଯଶୋବନ୍ତ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ । ଏହି ରାଷ୍ଟ୍ରୀୟ ପରାକ୍ରମ ଦିବସ ପାଳନ ସମାରୋହରେ ବହୁ ସଂଖ୍ୟାରେ ମୁକ୍ତି ସଂଗ୍ରାମୀ ପ୍ରେମୀ ଭଦ୍ରବ୍ୟକ୍ତି, ଭଦ୍ରମହିଳା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦାନ କରି ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସାମୁହିକ ଜାତୀୟ ସଙ୍ଗୀତ ଗାନ ପରେ ଶେଷରେ ଶ୍ରୀଯୁକ୍ତ ଦିଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସମାରୋହ ଉଦଯାପିତ ହୋଇଥିଲା ।





