ସମ୍ବଲପୁର ପୂର୍ବତନ ସୈନିକ ଦିବସ ମହା ସମାରୋହରେ ପାଳିତ

ସମ୍ବଲପୁର ପୂର୍ବତନ ସୈନିକ ଦିବସ ମହା ସମାରୋହରେ ପାଳିତ

ସମ୍ବଲପୁର : ଭାରତବର୍ଷର ପ୍ରଥମ ସେନାଧ୍ୟକ୍ଷ ଫିଲ୍ଡ ମାର୍ଶଲ୍ କେ.ଏମ୍ କରିଅପ୍ପାଙ୍କ ସେବା ନିବୃତ୍ତି ଦିବସକୁ ପ୍ରତିବର୍ଷ ସମଗ୍ର ଦେଶରେ “ପୂର୍ବତନ ସୈନିକ ଦିବସ” ଭାବରେ ପାଳନ କରାଯାଉଥିବା ବେଳେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଦଲେଇପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ “ଭେଟେରାନ୍ସ ଡେ 2026” ଅର୍ଥାତ୍ “ପୂର୍ବତନ ସୈନିକ ଦିବସ ୨୦୨୬” ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୁବେଦାର ମେଜର ଶିବ ନାରାୟଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କର୍ଣ୍ଣେଲ ନନୀ ଗୋପାଲ ପାତ୍ର ଓ ମୁଖ୍ୟବକ୍ତା ଭାବେ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦେଇ ଉଦ୍’ବୋଧନ ଦେଇଥିଲେ | ମୁଖ୍ୟବକ୍ତା ସଂସ୍କୃତିରତ୍ନ ଶ୍ରୀଯୁକ୍ତ ବହିଦାର ନିଜ ଉଦ୍’ବୋଧନରେ କହିଲେ ଯେ – “ପୂର୍ବତନ ସୈନିକ ମାନେ ସେବାରତ ଥିବାବେଳେ ଏବଂ ସେବାନିବୃତ୍ତି ପରେ ମଧ୍ୟ ନିଜ ଅଭିଜ୍ଞତା, ରାଷ୍ଟ୍ରଭକ୍ତି ଓ ସେବା ଦ୍ୱାରା ସାମାଜିକ ସମରସତା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଯୁବସମାଜକୁ ଉଦ୍’ବୁଦ୍ଧ କରୁଛନ୍ତି । ସେହି ଚିରନମସ୍ୟ ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ କୃତଜ୍ଞରାଷ୍ଟ୍ର ଆଜି ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରୁଛି” ବୋଲି ମୁଖ୍ୟବକ୍ତା ସଂସ୍କୃତିରତ୍ନ ଶ୍ରୀଯୁକ୍ତ ବହିଦାର ଉଦ୍’ବୋଧନ ଦେଇଥିବା ବେଳେ “ବର୍ତ୍ତମାନର କେନ୍ଦ୍ର ସରକାର ପୂର୍ବତନ ସୈନିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ବହୁ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସମସ୍ତ କଲ୍ୟାଣ ମୂଳକ ଯୋଜନା ବାବଦରେ ଅବଗତ ହୋଇ ସମସ୍ତେ ଦେଶଗଠନ କାର୍ଯ୍ୟରେ ତାହାର ଉପଯୋଗ କରିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର ଉଦ୍’ବୋଧନ ଦେଇଥିଲେ ଓ ଏହି ଅବସରରେ ପୂର୍ବତନ ସୈନିକ ସ୍ବର୍ଗତ ଦୂର୍ଗା ଚରଣ ଓରାମ୍ (ଶୌର୍ଯ୍ୟଚକ୍ର) ଙ୍କର ସୁପୁତ୍ରୀ ବୀରାଙ୍ଗନା ମଞ୍ଜୁ ଓରାମ୍ ଏବଂ ସ୍ବର୍ଗତ ବୀରେନ୍ଦ୍ର ନାଥ କରବାର ଙ୍କର ସୁପୁତ୍ରୀ ବୀରାଙ୍ଗନା ଅଶ୍ୱନୀ କରବାରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ସମାରୋହ ପ୍ରାରମ୍ଭରେ ସମସ୍ତେ ଦଣ୍ଡାୟମାନ ହୋଇ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ସୈନିକ ବୋର୍ଡ଼ର ସମ୍ପାଦକ ସଞ୍ଜୀବ କୁମାର ପାଣ୍ଡେ ପ୍ରାରମ୍ଭିକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ, ଧନୁପାଲି ଶାଖାର ପ୍ରବନ୍ଧକ ସୁବ୍ରତ କୁମାର ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବ୍ୟାଙ୍କ ମାନଙ୍କରେ ପୂର୍ବତନ ସୈନିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବାବଦରେ ବୁଝାଇଥିଲେ | ମଞ୍ଚାସୀନ ଅତିଥି ମାନଙ୍କ ଉଦ୍’ବୋଧନ ପରେ ସୈନିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାହାର ନିରାକରଣ ବାବଦରେ ଆଲୋଚନା କରାଯାଇଥିଲା । ଗୋପବନ୍ଧୁ ସାହୁ, ବିଜୟ କୁମାର ସାହୁ, ମନୋଜ କୁମାର ପଣ୍ଡା, ରଞ୍ଜନ କୁମାର ତ୍ରିପାଠି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷ ସୁବେଦାର ମେଜର ଶିବ ନାରାୟଣ ବେହେରା ସମସ୍ୟା ମାନଙ୍କର ସମାଧାନ ବାବଦରେ ଆଲୋଚନାର ଉତ୍ତର ରଖିଥିଲେ । ପୂର୍ବତନ ସୈନିକ ସଙ୍ଗଠନ ସମ୍ବଲପୁର, ବରଗଡ଼, ଅତାବିରା ଏବଂ ରାଉରକେଲାର କର୍ମକର୍ତ୍ତା ମାନଙ୍କ ସମେତ ଶତାଧିକ ପୂର୍ବତନ ସେନା ଅଧିକାରୀ ଏବଂ କର୍ମଚାରୀ ଏହି ସମାରୋହରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ପ୍ରହଲ୍ଲାଦ ମେହେର , ସୋମନାଥ ସାହୁ , ଅସଲମ୍ ଖାନ୍ , ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ଜୟକୃଷ୍ଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top