

ଆଧ୍ୟାତ୍ମିକ ପରିବେଶରେ ମାଁ ତାରିଣୀଙ୍କ ମହାସ୍ନାନ ସମ୍ପନ୍ନ
ବରଗଡ଼/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଆନନ୍ଦ ନଗର ଠାରେ ଆୟୋଜିତ ମାଁ ତାରିଣୀ ମନ୍ଦିର ଓ ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଧାର୍ମିକ ମହୋତ୍ସବର ତୃତୀୟ ଦିନରେ ପହଞ୍ଚିଛି । ମନ୍ଦିର ପରିସର ସମ୍ପୂର୍ଣ୍ଣ ଭାବ, ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଆମୋଦରେ ପରିପୂର୍ଣ୍ଣ ହୋଇଉଠିଥିବା ବେଳେ ଆଜି ପ୍ରାତଃକାଳରୁ ହିଁ ମାଆଙ୍କ ଦର୍ଶନ ଓ ଆଶିର୍ବାଦ ପାଇଁ ମନ୍ଦିରରେ ଶତାଧିକ ଭକ୍ତଙ୍କ ଭିଡ ଲାଗିରହିଥିଲା । ସକାଳୁ ନିତିକାନ୍ତି ଅନୁଯାୟୀ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା, ମଙ୍ଗଳ ଆରତି ଓ ବିଶେଷ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହା ପରେ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ପୁରୁଣା ବିଗ୍ରହଙ୍କୁ ସ୍ଥାନାନନ୍ତରଣ ପୂର୍ବକ ମାଁ ତାରିଣୀ, ଶ୍ରୀହନୁମାନ ଓ ପାର୍ଶ୍ୱ ଦେବାଦେବୀଙ୍କ ସମେତ ସମସ୍ତ ନୂତନ ଓ ପୁରାତନ ବିଗ୍ରହ ତଥା ଖଡ୍ଗ, ତ୍ରୀଶୁଳ ପ୍ରଭୃତି ଅସ୍ତ୍ରଶସ୍ତ୍ର ମାନଙ୍କୁ ବିଧି ଅନୁସାରେ ମହାସ୍ନାନ କରାଯାଇଥିଲା । ଏହା ପରେ ମହାସ୍ନାନ ଅବସରରେ ଏକାଅଶୀ ପୂର୍ଣ୍ଣଜଳ କଳସରେ ପ୍ରଥମେ କର୍ତ୍ତାଗଣ, ତାପରେ ମନ୍ଦିର କମିଟୀ ସଦସ୍ୟଙ୍କ ପରେ ଶତାଧିକ ମହିଳା ପୁରୁଷଗଣ ବିଗ୍ରହମାନଙ୍କୁ ହରିଦ୍ରା ଲେପନ କରି ଦାବାଦେବୀଙ୍କୁ ସ୍ନାନ କରାଇଥିଲେ। “ଜୟ ମାଁ ତାରିଣୀ” ଧ୍ୱନିରେ ସମଗ୍ର ମନ୍ଦିର ପରିସର ଗୁଞ୍ଜରିତ ହୋଇ ଉଠିଥିଲା । ମହାସ୍ନାନ ପରେ ଦେବାଦେବୀଙ୍କୁ ବିଭିନ୍ନ ପାରମ୍ପରିକ ଅଳଙ୍କାର, ଫୁଲମାଳା ଓ ନୂତନ ବସ୍ତ୍ରରେ ଶୃଙ୍ଗାର କରାଯାଇଥିଲା । ବିଧି ବିଧାନ ଅନୁସାରେ ପ୍ରଣପ୍ରତିଷ୍ଠା ସମ୍ପନ୍ନ ହେବା ବେଳେ ପୂଜା ସ୍ଥଳରେ ଏକ ଗଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।


ବ୍ରହ୍ମା ଓ ରାଜପୁରୋହିତ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପୂଜାରୀଙ୍କ ମାର୍ଗଦର୍ଶନରେ ନଅ ଜଣ ପଣ୍ଡିତ ବେଦମନ୍ତ୍ର, ଚଣ୍ଡିପାଠ ଓ ମନ୍ତ୍ରୋଚ୍ଚାରଣ କରିଥିଲେ । ଧୂପ, ଦୀପ, ଘଣ୍ଟା, ଶଙ୍ଖ ଧ୍ୱନି ସହ ବୈଦିକ ମନ୍ତ୍ର ପାଠ ଭକ୍ତମାନଙ୍କ ମନକୁ ଆହୁରି ଭକ୍ତିମୟ କରିଥିଲା । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଓ ପାରମ୍ପରିକ ସଂସ୍କୃତିକୁ ଜୀବନ୍ତ ରଖିବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ମାଁ ତାରିଣୀ ମନ୍ଦିର କମିଟୀ ସଭାପତି ଜଗଦୀଶ ମହାପାତ୍ର, ସମ୍ପାଦକ ହିମାଂଶୁ ଶେଖର ସାହୁ ଓ କୋସାଧ୍ୟକ୍ଷ ପ୍ରେମରାଜ ପଟେଲ ପ୍ରକାଶ କରିବା ସହିତ ଏହି ଅବସରରେ ସମସ୍ତ ଭକ୍ତ, ଦାତା ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଖ୍ୟାତ ପାରାୟଣ ତଥା ଭକ୍ତିଗୀତ ଗାୟିକା ଜ୍ୟୋସ୍ନାମୟୀ ଦିକ୍ଷୀତଙ୍କ ଅମୃତବାଣୀ ସମଗ୍ର ପରିବେଶକୁ ଆଲୌକିକ ଆନନ୍ଦରେ ଭରିଦେଇଥିଲା । ତାଙ୍କର ଭକ୍ତିମୟ ଗାୟନ ଶୁଣି ଭକ୍ତମାନେ ଭକ୍ତି ଭାବରେ ତାଳେ ତାଳେ ନାଚି ପକାଇଥିଲେ । ପ୍ରତ୍ୟହ ସନ୍ଧ୍ୟା ସମୟରେ ମନୋରଞ୍ଜନ ନିମିତ୍ତ ରାମଲୀଳା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଶ୍ରୀରାମଙ୍କ ଆଦର୍ଶ, ସତ୍ୟ, ଧର୍ମ ଓ ନ୍ୟାୟର ସନ୍ଦେଶ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଉଛି । ସମଗ୍ର ମହୋତ୍ସବ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ଚାଲିଥିବା ବେଳେ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ମାଁ ତାରିଣୀଙ୍କ ଠାରେ ପ୍ରତ୍ୟହ କାମନା କରାଯାଉଛି । ଏହି ମହାସ୍ନାନ ଓ ପ୍ରତିଷ୍ଠା ଉତ୍ସବ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଭକ୍ତ ତଥା ଦର୍ଶକଗଣ ପ୍ରକାଶ କରନ୍ତି ।





