

ରାଜ୍ୟ ସ୍ତରୀୟ ପାର୍ବତୀ ଗିରୀ ଶତବାର୍ଷିକୀ ସଫଳତା ପରେ ବିଧାୟକଙ୍କୁ ଭେଟିଲେ କାର୍ଯ୍ୟକର୍ତ୍ତା
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ତଥା ‘ବହ୍ନିକନ୍ୟା’ ପାର୍ବତୀ ଗିରୀଙ୍କ ଜନ୍ମ ଶତବାର୍ଷିକୀ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ଆଜି ପାର୍ବତୀ ଗିରୀ ବୃଦ୍ଧାଶ୍ରମ କମିଟୀ ଓ ପାର୍ବତୀ ଗିରି ଜନ୍ମ ଶତବାର୍ଷକୀ କମିଟୀ ସମଲେଇପଦରର କାର୍ଯ୍ୟକର୍ତ୍ତା ମାନେ ତଥା ଗ୍ରାମବାସୀ ଗଣ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟାଙ୍କୁ ସ୍ୱାଗତ ଓ କୃତଜ୍ଞତା ଜଣାଇବା ନିମିତ୍ତ ତାଙ୍କ ବାସ ଭବନରେ ସାକ୍ଷାତ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡ଼ତିୟାଙ୍କ ସକ୍ରିୟ ସମ୍ପୃକ୍ତି ଓ ଆନ୍ତରିକ ଉଦ୍ୟମର ଫଳ ସ୍ବରୂପ ବହ୍ନିକନ୍ୟାଙ୍କ ଜନ୍ମ ଶତବାର୍ଷିକୀ ଆୟୋଜନରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷିତ ହେବା ସହିତ ଏହାକୁ ରାଜ୍ୟ ସ୍ତରୀୟ ମର୍ଯ୍ୟାଦା ମିଳିଥିଲା । ରାଜ୍ୟ ସରକାରଙ୍କ ସହଯୋଗରେ ଏବଂ ସ୍ଥାନୀୟ ପ୍ରଶାସନ, ସମାଜସେବୀ ସଂଗଠନ ସହ ପାର୍ବତୀ ଗିରୀ କମିଟୀ କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରାଜ୍ୟ ସ୍ତରୀୟ ଶତବାର୍ଷିକୀ ପାଳନର ରୂପ ନେଇଥିଲା । କାର୍ଯ୍ୟକ୍ରମ ମାଧ୍ୟମରେ ପାର୍ବତୀ ଗିରୀଙ୍କ ସ୍ୱାଧୀନତା ସଂଗ୍ରାମ ସହିତ ସେବା, ତ୍ୟାଗ, ସାହସ, ଦେଶପ୍ରେମ ତଥା ସାଧାରଣ ଜୀବନ ଶୈଳୀ ସ୍ମରଣ କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡ଼ତିୟାଙ୍କ ନେତୃତ୍ୱ, ସକ୍ରିୟ ଭୂମିକା ଓ ଆନ୍ତରିକ ପ୍ରୟାସ ବିନା ଏତେ ବଡ଼ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଫଳ ହେବା ସମ୍ଭବ ହୋଇନଥାନ୍ତା ବୋଲି ଆଜିର ସାକ୍ଷାତକାରରେ ପାର୍ବତୀ ଗିରି ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ପ୍ରକାଶ କରିଥିଲେ । ସେମାନେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ମଧ୍ୟ ପାର୍ବତୀ ଗିରୀଙ୍କ ସ୍ମୃତି ସଂରକ୍ଷଣ ପାଇଁ ସହଯୋଗ ଆଶା କରିଥିଲେ । ଏହି ଅବସରରେ ପାର୍ବତୀ ଗିରୀ କେବଳ ବରଗଡ଼ ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶା ଓ ଦେଶର ଗର୍ବ ଓ ଗୌରବ। ତାଙ୍କର ଆଦର୍ଶ, ସେବା, ସାହସ ଓ ଦେଶପ୍ରେମକୁ ଯୁବପିଢି ମଧ୍ୟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡତିୟା ମତ ପ୍ରକାଶ କରିଥିଲେ ।





