

୧୯୯୭-୯୯ ନିଯୁକ୍ତ ଶିକ୍ଷକଙ୍କ ବନ୍ଧୁମିଳନ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକର ୧୯୯୭-୯୯ ନିଯୁକ୍ତ ଶିକ୍ଷକଙ୍କ ପାରିବାରିକ ବନ୍ଧୁମିଳନ ନିକଟସ୍ଥ ପୁଖାମୁଣ୍ଡା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଶଶି ଭୂଷଣ ସାହୁ ଓ ଅକ୍ଷୟ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୭ ଜଣ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସପରିବାର ସାମିଲେ। ପ୍ରଥମେ ସ୍ବର୍ଗତ ମୂରଲୀଧର ଦେବତାଙ୍କ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ମେହେର, ଭାସ୍କର ସାହୁ ଓ ଶିକ୍ଷୟିତ୍ରୀ ସଂଯୁକ୍ତା ସାହୁଙ୍କୁ ଉପଢୌକନ ଏବଂ ପୂର୍ବ ବର୍ଷ ନିଟ୍ ପରୀକ୍ଷାରେ ସଫଳ ହୋଇଥିବା ଓଜସ୍ବିନୀ ବାରିକଙ୍କୁ କାର୍ଯ୍ୟକ୍ରମରେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁରୁଜ, ହୁଳହୁଳି, ଶଙ୍ଖ ନାଦ, ମ୍ୟୁଜିକ ଚେୟାର, ବେଲୁନ ଚୁଡି ଖେଳ ସହିତ ପୁରୁଷଙ୍କ ଶାଢୀ ପିନ୍ଧା ପ୍ରତିଯୋଗିତା କରାଯାଇଥିଲା ।ଘନଶ୍ୟାମ ବାରିକ, ମୁକୁନ୍ଦ ପାଣ୍ଡେ, ମୁକ୍ତେଶ୍ବର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପପଟ ଲାଲ ଭୋଇ ଓ ହୃଷୀକେଶ ପଧାନ ବିଚାରକ ଦାୟିତ୍ବ ତୁଲାଇଥିଲେ । ରମେଶ ଆଚାର୍ଯ୍ୟଙ୍କ ଯାଦୁ ଦେଖା ଉକ୍ତ ମିଳନ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଆକର୍ଷଣ ରହିଥିଲା । ବାସ୍ତବରେ ଏହି କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖି ଆସିଥିବା ବେଳେ ଆଗାମୀ ଦିନରେ ଏହା ଚାଳୁ ରହିବ ବୋଲି ମତ ପ୍ରକାଶ ପାଇଥିଲା । ପ୍ରକାଶ ଯୋଗ୍ୟ ଯେ, ୨୦୨୦ ମସିହାରୁ ପ୍ରତିବର୍ଷ ହୋଇ ଆସୁଥିବା ଏହି ଶିକ୍ଷକ ସମ୍ମିଳନୀ କାର୍ଯ୍ୟକ୍ରମ ୨୦୨୨ ମସିହାରୁ ପାରିବାରିକ ବନ୍ଧୁମିଳନର ରୂପ ନେଇଛି ବୋଲି ଶଶି ଭୂଷଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।



