

ଭକ୍ତିମୟ ଶୋଭାଯାତ୍ରାରେ ଉତ୍ସାହିତ ନଗରବାସୀ


ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସହରର ଆନନ୍ଦନଗର ଅଞ୍ଚଳରେ ନବନିର୍ମିତ ମାଁ ତାରିଣୀ ମନ୍ଦିର ଓ ମାଁ ତାରିଣୀ ବିଗ୍ରହ ସହିତ ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଅବସରରେ ଗତ ୧୬ ଜାନୁଆରୀ ୨୦୨୬ ତାରିଖ ଶୁକ୍ରବାର ଠାରୁ ଧାର୍ମିକ ଆନୁଷ୍ଠାନ ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିଲା । ସକାଳ ୬:୩୦ ମିନିଟ ସମୟରେ ଘଟଗାଁ ତାରିଣୀ ପୀଠରୁ ଆଜ୍ଞାମାଳ ଆଣିବା ପାଇଁ ବିଶେଷ ଧାର୍ମିକ ଯାତ୍ରା ପ୍ରସ୍ଥାନ କରିଥିଲା । ଏହି ପବିତ୍ର କାର୍ଯ୍ୟକ୍ରମ ଏଠାକାର ରାଜପୁରୋହିତ ତଥା ପ୍ରସିଦ୍ଧ ଚଣ୍ଡୀପାଠକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପୂଜାରୀଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ତାଙ୍କ ନେତୃତ୍ୱରେ ସାତ ଯୋଡି କର୍ତ୍ତା ଦମ୍ପତି ଧାର୍ମିକ ନିୟମାନୁସାରେ ଘଟଗାଁ ତାରିଣୀ ମନ୍ଦିରକୁ ଯାତ୍ରା କରିଥିଲେ । ଘଟଗାଁରେ ପହଞ୍ଚିବା ପରେ ମାଁ ତାରିଣୀ ପୀଠର ମୁଖ୍ୟ ପୂଜକଙ୍କ ଦ୍ୱାରା ଯଥାବିଧି ପୂଜାର୍ଚ୍ଚନା ଓ ସମାପିତ ହୋଇଥିଲା ଏହା ପରେ ମାଁ ତାରିଣୀ ପୀଠ ର ମୁଖ୍ୟ ପୂଜକ ରାଜପୁରୋହିତ ଶ୍ରୀଯୁକ୍ତ ପୂଜାରୀଙ୍କୁ ମାଁ ତାରିଣୀଙ୍କ ପବିତ୍ର ଘଟ, ଆଜ୍ଞାମାଳ ଓ ପରିଧାନ ବସ୍ତ୍ର ପ୍ରଦାନ କରିଥିଲେ ।


୧୭ ଜାନୁଆରୀ ୨୦୨୬ ଶନିବାର ସକାଳେ ଘଟଗାଁରୁ ଆଜ୍ଞାମାଳ ସହ ଯାତ୍ରା ଆରମ୍ଭ ହୋଇ ଦୀର୍ଘ ପଥ ଅତିକ୍ରମ କରି ଅପରାହ୍ନ ପ୍ରାୟ ୪ଟା ସମୟରେ ବିଜେପୁର ଉପରପଡ଼ା ସ୍ଥିତ ଅନନ୍ତ ପୂଜା ମଣ୍ଡପରେ ପହଞ୍ଚିଥିଲା । ସେଠାରେ ମାଁ ତାରିଣୀ ମନ୍ଦିର କମିଟି ଓ ସ୍ଥାନୀୟ ଭକ୍ତମାନଙ୍କ ପକ୍ଷରୁ ଆଜ୍ଞାମାଳ ଓ କର୍ତ୍ତା ଦମ୍ପତିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୂଜାର୍ଚ୍ଚନା ସହ ମାଆଙ୍କ ଆଶୀର୍ବାଦ କାମନା କରାଯାଇଥିଲା । ପରେ ଘଣ୍ଟ, ଶଙ୍ଖ, ଦୁଲଦୁଲି, କୀର୍ତ୍ତନ୍ୟ ଓ ହୁଳହୁଳିର ମହାନାଦ ମଧ୍ୟରେ ଏକ ବିରାଟ ଓ ଭବ୍ୟ ଶୋଭାଯାତ୍ରା ବାହାରି ବିଜେପୁର ନଗରର ବିଭିନ୍ନ ସାହି ଓ ରାସ୍ତା ଦେଇ ପରିକ୍ରମା କରି ସମ୍ପୂର୍ଣ୍ଣ ଅଞ୍ଚଳକୁ ଭକ୍ତିମୟ ପରିବେଶରେ ମୁଗ୍ଧ କରିଥିଲା । ରାସ୍ତା ଦୁଇ ପାର୍ଶ୍ୱରେ ହଜାର ହଜାର ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିଲା । ଶୋଭାଯାତ୍ରା ପରେ ଆଜ୍ଞାମାଳ ସହ ଘଟକୁ ମାଁ ତାରିଣୀ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇ ନିୟମାନୁସାରେ ଘଟ ସ୍ଥାପନ କରାଯାଇଥିଲା । ଏହା ସହିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ଧାର୍ମିକ ପର୍ବ ଆରମ୍ଭ ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବରେ ସମ୍ପନ୍ନ ହୋଇ ବିଜେପୁର ଅଞ୍ଚଳରେ ଧାର୍ମିକ ଚେତନାକୁ ନୂଆ ଦିଗରେ ପହଞ୍ଚାଇବ ବୋଲି ଆଶା କରାଯାଏ ।





