

ପାର୍ବତୀ ଗିରିଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ସମୂହ ସଫେଇ କାର୍ଯ୍ୟକ୍ରମ
ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅନ୍ତର୍ଗତ ସମଲେଇପଦର ତଥା ଓଡ଼ିଶା ଇତିହାସରେ ଲିପିବଦ୍ଧ ସଂଗ୍ରାମୀ ପୀଠରେ ଜନ୍ମିତ ସ୍ବାଧୀନତା ସଂଗ୍ରାମୀ, “ବହ୍ନି କନ୍ୟା” ଭାବେ ପରିଚିତ ବୀରା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସମାରୋହ ପାଳନ ନିମିତ୍ତ ତିନି ଦିନିଆଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦେଶପ୍ରେମ, ତ୍ୟାଗ ଓ ସେବାର ଆଦର୍ଶକୁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଉକ୍ତ ଶତବାର୍ଷିକୀ କାର୍ଯ୍ୟକ୍ରମ ଆରମ୍ଭରେ ତା.୧୭.୦୧.୨୦୨୬ ଶନିବାର ଦିନ ସମଲେଇପଦର ଠାରେ ଏକ ବୃହତ୍ ସମୁହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଫେଇ କାର୍ଯ୍ୟକ୍ରମରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ନିଜେ ଉପସ୍ଥିତ ରହି ସ୍ବଚ୍ଛତାର ଗୁରୁତ୍ବ ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ । ତାଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀ, ବିଜେପି ଦଳର ସମସ୍ତ ମଣ୍ଡଳ ସଭାପତି ତଥା ସଦସ୍ୟ/ସଦସ୍ୟା ଓ ସ୍ଥାନୀୟ ବାସିନ୍ଦା ସକ୍ରିୟ ଭାବେ ସାମିଲ ଥିଲେ । ଏହି ସଫେଇ ଅଭିଯାନ ମାଧ୍ୟମରେ ପାର୍ବତୀ ଗିରିଙ୍କ ସେବା ଓ ଶୃଙ୍ଖଳା ପ୍ରତି ଆଦର୍ଶକୁ ସ୍ମରଣ କରାଯାଇଥିଲା । ତା.୧୮.୦୧.୨୦୨୬ ରବିବାର ତଥା ଶତବାର୍ଷିକୀ ସମାରୋହର ଦ୍ବିତୀୟ ବିଜେପୁର ସ୍ଥିତ ଏସ.ଏଚ.ଜି ଭବନ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ ଶିବିର ମାଧ୍ୟମରେ ସମାଜ ସେବାର ମହାନ ଆଦର୍ଶକୁ ଆଗକୁ ବଢ଼ାଇବା ସହ ଆବଶ୍ୟକତାରେ ଥିବା ରୋଗୀମାନଙ୍କୁ ଜୀବନ ରକ୍ଷାରେ ସାହାଯ୍ୟ ମିଳିବ ବୋଲି ଆୟୋଜକମାନେ କହିଛନ୍ତି । ସ୍ଥାନୀୟ ଯୁବକ, ସାମାଜିକ ସଂଗଠନ ଓ ସ୍ବେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଆହ୍ବାନ କରାଯାଇଛି । ତା.୧୯.୦୧.୨୦୨୬ ଦିନ ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବାକୁ ଯାଉଥିବା ମହାସମାରୋହ ହେଉଛି ଏହି ଶତବାର୍ଷିକୀ ସମାରୋହର ମୁଖ୍ୟ ଆକର୍ଷଣ । ରାଜ୍ୟସ୍ତରୀୟ ଉକ୍ତ ଉତ୍ସବରେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଉଚ୍ଚ ଶିକ୍ଷା ରାଜ୍ୟ କ୍ରୀଡ଼ା ଓ ସଂସ୍କୃତି ବିଭାଗ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ସହିତ ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପାର୍ବତୀ ଗିରିଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ, ତ୍ୟାଗ ଓ ଦେଶପ୍ରେମକୁ ସ୍ମରଣ କରାଯିବ । ସମଗ୍ର ତିନି ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାର୍ବତୀ ଗିରିଙ୍କ ଜୀବନ ଆଦର୍ଶକୁ ନୂତନ ପିଢ଼ୀ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସଫଳ ପ୍ରୟାସ ହେବ ବୋଲି ଆଶା ପ୍ରକଟ କରାଯାଇଛି ।




