

ଜାତୀୟ ଯୁବ ଦିବସ ଅବସରରେ ଜିଲ୍ଲାସ୍ତରୀୟ ସ୍ପୋର୍ଟ୍ସ ମିଟ୍ ଆୟୋଜିତ
ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଙ୍ଗ ହାଇସ୍କୁଲ ପଡିଆରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସୋମବାର ଜିଲ୍ଲା ସ୍ତରୀୟ ସ୍ପୋର୍ଟ୍ସ ମିଟ୍ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ମେରା ଯୁବା ଭାରତ, ବରଗଡ଼ ଓ ଏଥଲେଟିକ୍ ଏସୋସିଏସନ୍, ଜାରିଂର ସଂଯୁକ୍ତ ଆୟୋଜନରେ ଅନୁଷ୍ଠିତ ଏହି କ୍ରୀଡାର ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ/ଯୁବତୀ ଅଂଶଗ୍ରହଣ କରି ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ୧୦୦ ଓ ୨୦୦ ମିଟର ଦୌଡ଼, କବାଡ଼ି, ଫୁଟବଲ୍, ସାଇକେଲ୍ ସ୍ଲୋ, ରେସ୍ ଓ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା, ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ବିଭାର, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ଓ ବିଜେପୁର ଏସଆଇ ବାବାଜୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିଗଣ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଯୁବଗୋଷ୍ଠୀଙ୍କୁ ଖେଳକୁ ଜୀବନର ଅଂଶ କରିବାକୁ ଆହ୍ୱାନ କରିଥିଲେ। ଯୁବକମାନଙ୍କୁ କ୍ରୀଡାକ୍ଷେତ୍ରରେ ସଂଲଗ୍ନ କରିବା, ତାଙ୍କର ଶାରୀରିକ ଓ ମାନସିକ ବିକାଶ ସାଧନ କରିବା ସହ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଯୁବପିଢ଼ୀ ମଧ୍ୟରେ ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥଲେଟିକ୍ ଏସୋସିଏସନ୍, ଜାରିଂର ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରାଯାଇଥିଲା । ଧନ୍ୟବଦ ପର୍ବ ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା ।





