ଖରମୁଣ୍ଡା ୧୭ତମ ଅକ୍ଷୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଖରମୁଣ୍ଡା ୧୭ତମ ଅକ୍ଷୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ହାଇସ୍କୁଲ ପଡିଆରେ ଏକ ଦିବସୀୟ ଖରମୁଣ୍ଡା ୧୭ତମ ଅକ୍ଷୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଖରମୁଣ୍ଡା ଯୁବ କ୍ରୀଡା ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କୋଶଳ ପରିବାର ସଭାପତି ଡ.ସୁଦାମ ସାହୁ ଉପସ୍ଥିତ ରହି ସାମୁହିକ ଭାବେ ଏହାକୁ ଉଦଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ କୋଶଳ ପରିବାରର ସମ୍ପାଦକ ଅଚ୍ୟୁତ ତ୍ରିପାଠୀ, ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୌସମ ପଧାନ, ଯୁବ ବ୍ୟବସାୟୀ ସୁଶୀଳ ସାହୁ ଉପସ୍ଥିତ ଥିଲେ । ଗୌରାଙ୍ଗ ପାଣ୍ଡେ, ଶିବୁ ଅଗ୍ରଓ୍ବାଲ, ସନ୍ତୋଷ ପଟେଲ, ଅଜୟ ପଧାନ, ସ୍ବାଧୀନ ମଲ୍ଲିକ ପ୍ରମୁଖଙ୍କ ପରିଚାଳନାରେ ବରଗଡ ୟୁନାଇଟେଡ୍, ବଲାଙ୍ଗୀର, ହୀରାକୁଦ, ସିକିର୍ଡି, କାଇଁଶିର, କଳାଡୁଙ୍ଗୁରୀ, ଜରାସିଂହା, ଶରତ ଇଲେଭେନ୍ ବରଗଡ ଏହି ଆଠଗୋଟି ଦଳ ମଧ୍ୟରେ ଖେଳ ପ୍ରତିଯୋଗିତା ହୋଇଥିଲା ଏବଂ ପ୍ରତ୍ୟେକ ଦଳ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ ।

ଯୁବ କ୍ରୀଡା ସଂସଦ ସଭାପତି ସଚ୍ଚିଦାନନ୍ଦ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସନତ କୁମାର ଗଡତିଆ, ସମ୍ମାନୀତ ଅତିଥି ସ୍ଥାନୀୟ ସମିତି ସଭ୍ୟ ସଞ୍ଜିବ ଗଡତିଆ, ବିଜେପୁର ବିଜେପି ମଣ୍ଡଳ ସଭାପତି ମହେଶ ଦେବତା, କୋଶଳ ମଜଦୁର ସଂଘ ପ୍ରତିଷ୍ଠାତା ନନ୍ଦନ ମହାନନ୍ଦ ଉପସ୍ଥିତ ଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅତିଥିଗଣ ଖେଳାଳୀ ମାନଙ୍କୁ ପୁରଷ୍କୃତ କରିଥିବା ବେଳେ ଉତ୍ତମ ଖେଳ ପ୍ରଦର୍ଶନ କରି କାଇଁଶିର ଦଳ ବିଜେତା ଟ୍ରଫି ହାସଲ କରିଥିଲେ ଓ ଶରତ ଇଲେଭେନ୍ ବରଗଡ ଉପ-ବିଜେତା ଟ୍ରଫି ଗ୍ରହଣ କରିଥିଲେ । ଯୁବ କ୍ରୀଡା ସଂସଦର ସଭାପତି ସଚ୍ଚିଦାନନ୍ଦ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉଦଯାପିତ ଟୁର୍ଣ୍ଣାମେଣ୍ଟରେ ତ୍ରିଲୋଚନ ବେହେରା, ରାଧେଶ୍ୟାମ ବରିହା, ଚେୟାରମେନ ଡନସନା, ରଘୁପତି ସାହୁ, କୁଞ୍ଜ ବରିହାଙ୍କ ସମେତ ଗ୍ରାମର ଯୁବବର୍ଗ ସହଯୋଗ କରିଥିଲେ । ଶେଷରେ ଦିଲ୍ଲିପ ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top