

ଡିସେମ୍ବର ୧ ରୁ ୩ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା
ବିଜେପୁର : କ୍ରୀଡା ମାନବ ଜୀବନର ଅଙ୍ଗୀକାର ଓ ସମୟବଦ୍ଧତାର ଖୋଲା ମଞ୍ଚ । ଏହି ମଞ୍ଚକୁ ଉତ୍ସାହପୂର୍ଣ୍ଣ କରିବା ପାଇଁ ବରଗଡ଼ ଜିଲ୍ଲା ବିଦ୍ୟାଳୟ କ୍ରୀଡା ଅନୁଷ୍ଠାନ ଓ ବିଜେପୁର ବ୍ଲକ ବିଦ୍ୟାଳୟ କ୍ରୀଡା ଅନୁଷ୍ଠାନଙ୍କ ଯୁକ୍ତ ପ୍ରୟାସରେ ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ କ୍ରିକେଟ ଚାମ୍ପିଅନ ୨୦୨୫-୨୬ ରେଡିଏନ୍ସ ଶିକ୍ଷାନୁଷ୍ଠାନ, ବିଜେପୁର ଠାରେ ଗାମ୍ଭୀର୍ଯ୍ୟ ଓ ଗରିମାର ସହ ଶୁଭାରମ୍ଭ ହୋଇ ଯାଇଛି । ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଶ୍ରୀମାନ ଅଜିତ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ଦିବା ୨ଟାରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି ।


ମୁଖ୍ୟ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ଜୟକୃଷ୍ଣ ଡ଼ନସନା ପ୍ରତିଯୋଗିତାର ଶୁଭାରମ୍ଭ କରି ପ୍ରତିଯୋଗୀ ଖେଳାଳୀଙ୍କୁ ଖେଳର ଗୁରୁତ୍ୱ ଉପରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ବିଜ୍ଞ ବିଭୁଦତ୍ତ ସାହୁ, ତହସିଲଦାର ବିଜେପୁର ଶ୍ରୀମାନ ମୁକ୍ତେଶ୍ବର ପାଣିଗ୍ରାହୀ, ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା.ସୁଶାନ୍ତ ମେହେର, ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଶ୍ରୀମତୀ ସବିତା ସାହୁ ଏବଂ ବିଜେପୁର ବ୍ଲକର ଶିକ୍ଷା ଅଧିକାରୀ ତଥା ଏହି କାର୍ଯ୍ୟକ୍ରମର ଆବାହକ ଶ୍ରୀଯୁକ୍ତ ବଲ୍ଲଭ ମେହେର ଯୋଗଦାନ କରି କ୍ରିକେଟର ଐତିହ୍ୟ, ପରମ୍ପରା ଓ ଆଧୁନିକ ଯୁଗରେ ଏହାର ବିଶ୍ୱ ପ୍ରଭାବ ବିଷୟରେ ସାରଗର୍ଭ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଭାଷଣରେ କହିଲେ “କ୍ରିକେଟ ଏକ ଖେଳ ଠାରୁ ବିଶେଷ, ଏହା ଏକ ସଂସ୍କୃତି। ବ୍ୟାଟ୍ସମ୍ୟାନଙ୍କ ହୁକ୍, ପୁଲ୍, କଭର୍, ଡ୍ରାଇଭ୍ ହେଉ କି ବୋଲରଙ୍କ ସ୍ୱିଙ୍ଗ୍, ସ୍ପିନ୍ ପ୍ରତ୍ୟେକ ମୁହୂର୍ତ୍ତ ରୋମାଞ୍ଚରେ ଭରିଥାଏ । ବିଦ୍ୟାଳୟ ପର୍ଯ୍ୟାୟରେ ଏପରି ପ୍ରତିଯୋଗିତା ଛାତ୍ରମାନଙ୍କ ମନୋବଳ ବଢ଼ାଏ ଓ ସୁସ୍ଥ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଏ।” କ୍ରିକେଟର ଐତିହ୍ୟ ଉଳ୍ଲେଖ କରି ସମ୍ମାନୀତ ଅତିଥି କହିଥିଲେ “୧୯ଶ ଶତାବ୍ଦୀରୁ ଭାରତରେ କ୍ରିକେଟର ପ୍ରବେଶ ହୋଇଛି, କିନ୍ତୁ ଆଜି ଏହି ଖେଳ ଭାରତୀୟଙ୍କ ହୃଦୟରେ ଦେବତା ସମାନ ସ୍ଥାନରେ ଅଛି।


ବିଶେଷକରି ସ୍କୁଲ ସ୍ତରରୁ ଯେଉଁ ପିଲାମାନେ ଆଗକୁ ଆସନ୍ତି ସେମାନେ ଆଗାମୀ ଦିନର ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିର ଆଶା ପ୍ରଦୀପ।” ଏହି ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୨ ଠାରୁ ଅଧିକ ଟିମ୍ ଯୋଗଦାନ କରିଛନ୍ତି। ରେଡିଏନ୍ସ ଶିକ୍ଷାନୁଷ୍ଠାନର ଏକାଡେମୀକ ଡାଇରେକ୍ଟର ଗୋବିନ୍ଦ ମେହେର,ଏଡମିନିଷ୍ଟେଟିଭ୍ ଡାଇରେକ୍ଟର ନେତ୍ରମଣି ମେହେର, ସ୍କୁଲ୍ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଡିଙ୍ଗର ବାଗ, ଆଲୋକ ପୋଡ଼, ସୁରେନ୍ଦ୍ର ସେଠ୍, ସଞ୍ଜୟ ପଧାନ, ଅଧ୍ୟାପିକା ରିତା ପଧାନ, ସୁପ୍ରିୟା ମେହେର, କୁମୁଦିନୀ ବାରିକ, ଆୟୁଶା ପଧାନ, ହେଲିସା ବେହେରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଶେଷରେ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରତ୍ୟେକ ଖେଳାଳୀ ମାନଙ୍କୁ ଶୃଙ୍ଖଳିତ ଭାବେ ଖେଳିବା ପାଇଁ ଉତ୍ସାହ ଦେଇଥିଲେ ।


ବିଦ୍ୟାଳୟ ପ୍ରଶାସନ, କ୍ରୀଡା ଶିକ୍ଷକମାନେ, ଅଭିଭାବକମାନେ ଓ ସେବାକର୍ମୀମାନେ ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମନ୍ୱୟରେ କାମ କରୁଛନ୍ତି । ରେଡିଏନ୍ସ ଶିକ୍ଷାନୁଷ୍ଠାନର ଖେଳ ପଡିଆକୁ ଏହା ପାଇଁ ବିଶେଷ ସଜାଯାଇଛି । ଦଳମାନଙ୍କୁ ଆବଶ୍ୟକ ସମସ୍ତ ସୁବିଧା ପ୍ରଶିକ୍ଷକ, ପାଣି, ପ୍ରଥମିକ ଚିକିତ୍ସା, ବସିବା ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ସ୍ଥାନୀୟ ଦର୍ଶକମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଭରପୁର ଉତ୍ସାହ ଦେଖାଯାଇଛି । ଅନେକ ଅଭିଭାବକ ନିଜ ସନ୍ତାନଙ୍କୁ ସମର୍ଥନ କରିବା ପାଇଁ ପଡିଆକୁ ଆସିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଲିଗ୍ ମ୍ୟାଚ୍ ସମାପ୍ତ ହେଲାପରେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଆୟୋଜନ ହେବ । ବିଜେତା ଦଳକୁ ଟ୍ରୋଫି ସହ ପ୍ରଶଂସାପତ୍ର ପ୍ରଦାନ କରାଯିବ । ଜିଲ୍ଲା ସ୍ତରରେ ଏପରି ଉଦ୍ୟମ ନିଶ୍ଚିତଭାବେ ବରଗଡ଼ ଜିଲ୍ଲାର ଯୁବପିଢ଼ୀଙ୍କୁ କ୍ରୀଡାକୁ ନେଇ ଏକ ନୂଆ ପ୍ରେରଣା ଦେବ ବୋଲି ଆଶା କରାଯାଉଛି ।





