ଅମ୍ବେଦକର ଫେଡେରେସନର ନୂଆଁଖାଇ ଭେଟ୍

ଅମ୍ବେଦକର ପ୍ରତିଭା ସମ୍ମାନ ୨୦୨୫ ରେ ସମ୍ବର୍ଦ୍ଧିତ ହେଲେ ବିଭିନ୍ନ ପ୍ରତିଭା

ସମ୍ବଲପୁର : ଅନ୍ନ ବିନା ଜୀବନ ଧାରଣ ଅସମ୍ଭବ । ଅନ୍ନ ହିଁ ଜୀବନର ମୂଳାଧାର । ଜୀବନ ଧାରଣ ପାଇଁ ଅନ୍ନର ଯେତିକି ଗୁରୁତ୍ବପୂର୍ଣ ଭୂମିକା ରହିଛି ଭାରତର ପ୍ରତ୍ୟେକ ନାଗରିକ ଏବଂ ବିଶେଷ ଭାବରେ ଦଳିତ ସମ୍ପ୍ରଦାୟର ଲୋକଙ୍କ ଅଧୁକାରର ସୁରକ୍ଷା ନିମନ୍ତେ ଭାରତୀୟ ସମ୍ବିଧାନର ମଧ୍ୟ ସେତିକି ମହତ୍ବ ରହିଛି । ଭାରତୀୟ ସମ୍ବିଧାନର ମହିମା ଗାନ ସହିତ ଅନ୍ନଦାତା, ଧରିତ୍ରୀ, ପ୍ରକୃତି, ପରିବେଶ ପ୍ରତି କୃତଜ୍ଞତା ଜଣାଇବା ଆମର ପରମ କର୍ତବ୍ୟ । ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଜରିଆରେ ଏମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ ପରସ୍ପର ପ୍ରତି ସୌହାର୍ଘ୍ୟ, ସହଯୋଗ ଭାଇଚାରାର ବାତାବରଣ ସୃଷ୍ଟି କରିବାର ପ୍ରକୃଷ୍ଟ ମାଧ୍ୟମ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଡକ୍ଟର ବି.ଆର ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ, ସମ୍ବଲପୁର ତରଫରୁ ଆୟୋଜିତ ତୃତୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସଭାପତି ଇଂ ଦୁତିଆ ଗର୍ଡିଆ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅଧିକ୍ଷଣ ଯନ୍ତ୍ରୀ ଇଂ ବୀରେନ୍ଦ୍ର କୁମାର ଜଗତ, ସମ୍ମାନୀତ ଅତିଥି ଭାବେ ଓଡିଶା ଖାଉଟି ସମବାୟ ସମିତି ନିର୍ଦ୍ଦେଶକ ବିପ୍ରଚରଣ ଜୟପୁରିଆ, ଦ୍ରବ୍ୟ ଓ ସେବା କର ସହାୟକ ଆୟୁକ୍ତ ସୁରଞ୍ଜନ ସାଗର, ଅବସର ପ୍ରାପ୍ତ ଅନୁଭାଗ ଅଧିକାରୀ ପ୍ରଭାତ କୁମାର ବେହେରା ଉପସ୍ଥିତ ରହି ସମୁଚିତ ମତ ମନ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ ତଥା ଜୀବ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଏକାମ୍ବର କରିଆଲି, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ରମେଶ ସୁନା, ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତାଞ୍ଜଳୀ ପୋଢ଼ ଏବଂ ଶତ୍ରୁଘନ ଲୁହାଙ୍କୁ ‘ବାବାସାହେବ ଆମ୍ବେଦକର ପ୍ରତିଭା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିକଟରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ବର୍ଷାରାଣୀ ଗର୍ଡିଆ ଏବଂ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସସ୍ମିତା ମହାନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାରୁ ଯୋଗଦାନ କରିଥିବା ପ୍ରତ୍ୟେକ ପରିବାରକୁ ସମ୍ବିଧାନ ପୁସ୍ତକ ଉପହାର ସରୂପ ପ୍ରଦାନ କରାଯାଇଥିଲା । ତଥାଗତ ବୋସତ୍ବ ବୁଦ୍ଧ ଏବଂ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଫେଡେରେସନର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ଭାଷଣ ପ୍ରଦାନ ସହ ଅତିଥିଙ୍କୁ ପରିଚୟ କରାଇଥିବା ବେଳେ ବରୁଣ ସୁନା ଏବଂ ରାଜେନ୍ଦ୍ର ଜଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହୀରାକୁଦ କଳାପରିଷଦର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । କବି ସୁଶାନ୍ତ କୁମାର ମହାବରା, ଗଦାଧର ନିଆଲ, ଯୋଗେନ୍ଦ୍ର ମଲ୍ଲିକ, ପିଙ୍କୁ ରଣବିଡ଼ା ଏବଂ କ୍ଷେତ୍ରମଣି ବିଭାର ସଚରିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦୀନେଶ ବାଗ, ରାଜେଶ କୁମ୍ଭାର, ଗଣେଶ ହରିପାଲ, ଯଦୁନାଥ ସୁନା, ପଞ୍ଚମଲାଲ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top