

ସମ୍ବର୍ଦ୍ଧିତ ହେଲେ ଆଦର୍ଶ ଶିକ୍ଷୟିତ୍ରୀ ସୌଦାମିନୀ ମାଝୀ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାରିଂ କ୍ଲଷ୍ଟରସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର, ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଧାନ, ଶିକ୍ଷାବିତ୍ ଘନଶ୍ୟାମ ସାହୁ ଯୋଗଦେଇ ଥିଲେ । ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ନିକଟରେ ନୂଆଁ ଚରାକୁଁଣା ସହିତ କାକରା ଭୋଗ ଅର୍ପଣ କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୋଗ ବଣ୍ଟନ କରାଯାଇଥିଲା । ପରେ କନିଷ୍ଠ ବରିଷ୍ଠ ମାନଙ୍କୁ ଜୁହାର କରିବା ଓ ବଡମାନେ ସାନ ମାନଙ୍କୁ ସ୍ନେହାଶୀର୍ବାଦ ପ୍ରଦାନ କରିବାର ଭାଇଚାରା ଭାବ ବେଶ ଭାବମୟ ପରିବେଶ ସୃଷ୍ଟି କରିଥିଲା । ତ୍ରିଶାରାଣୀ ବିଶ୍ବାଳ, ଲୁସି ଗଡତୀୟା, ସୁରିତା ମାଝୀ, ମାନିନୀ ଲୁହା ପ୍ରମୁଖ ଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଉକ୍ତ କ୍ଲଷ୍ଟରରୁ ସେବା ନିବୃତ୍ତ ଆଦର୍ଶ ଶିକ୍ଷୟିତ୍ରୀ ସୌଦାମିନୀ ମାଝୀଙ୍କୁ ପ୍ରଶସ୍ତି ପତ୍ର ସହ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷୟିତ୍ରୀ ରୀତା ଖେତି ପ୍ରଶସ୍ତି ପତ୍ର ପଠନ କରିଥିଲେ । ପ୍ରଧାନ ଶିକ୍ଷକ ଗହକିଲାଲ ନାଏକ, ଦିଲ୍ଲୀପ କୁମାର ପୁରୀ, ଚନ୍ଦ୍ରକଳା ଦାଶ, ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଓ ଶିକ୍ଷକ ବିକାଶ ଗଡତୀୟା ସମାରୋହକୁ ସଂଯୋଜନା କରିଥିଲେ । ଟିଟୋରାମ ଲୁହା, କମଳ ଛତର ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ କ୍ଲଷ୍ଟରର ଦଶଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ବିନୋଦ କୁମାର ତନ୍ତୀ, ରତ୍ନ ଭୋଇ, ସତ୍ୟଭାମା ପାତ୍ର, ଅଶୋକ କୁମାର ସ୍ବାଇଁ, ଜଗଦୀଶ ପଧାନ, ରୋହିତ ସାହୁ, ଭୋଜରାଜ ଦୀପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରସନ୍ନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।





