

ଖୁଣ୍ଟପାଲିରେ ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୁଣ୍ଟପାଲିରେ ସ୍ଥାନୀୟ ସିଆରସିସି ହେମନ୍ତ ଆରୁକଙ୍କ ଆବାହନ କ୍ରମେ ପଥର୍ଲା କ୍ଲଷ୍ଟର୍ ସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟପାଲି ସ୍କୁଲର ଭୂମିଦାତା ଚନ୍ଦ୍ରଶେଖର ସାହା ଗୌନ୍ତିଆଙ୍କ ପୁତ୍ରବଧୂ ଧବଲେଶ୍ବରୀ ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମର ଭଦ୍ର ବ୍ୟକ୍ତି ତଥା ପୂର୍ବତନ ଚେୟାରମେନ୍ ସୌଦାକର ଭୁଏ ଓ ମୋ ସ୍କୁଲ ଅଭିଯାନର ସଦସ୍ୟ ଚିନ୍ତାମଣି ସାହୁ ଉପସ୍ଥିତ ଥିଲେ । ସିଆରସିସି ଶ୍ରୀ ଆରୁକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଦର୍ଲ୍ଲିପାଲି ଉ.ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଭୋଜରାଜ ମଲ୍ଲିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


ପ୍ରାଥମିକ ସ୍ତରରୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପୂର୍ଣ୍ଣ ଶିକ୍ଷାଦାନ କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ଗିରୀ ସ୍ବ-ରଚିତ ଗୀତ ତଥା ପ୍ରସ୍ତୁତିକୁ ନେଇ ଭାଷା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସହଯୋଗ ନେଇ ସମ୍ପାଦନ କରିଥିଲେ ଯେଉଁଥିରେ କି ମାତ୍ରା ମଧ୍ୟରେ ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ, ହଲନ୍ ଓ ଜୀବିକା ସହିତ ସଂଖ୍ୟାଜ୍ଞାନରୁ ପରିସୀମା, କ୍ଷେତ୍ରଫଳ ଥିଲା । ବୈଠକରେ କ୍ଲଷ୍ଟରର ଦଶ ଗୋଟି ବିଦ୍ୟାଳୟରୁ ଭିକାରୀ ଭୋଇ, ଚୌଧୁରୀ ମହାନନ୍ଦ, ସରସ୍ବତୀ କରାଳୀ, ବନିତା ପୁଟା, ସବିତା ମଲ୍ଲିକ, ମନୋହର ମହାନନ୍ଦ, କେସବ ସାହୁ, ରାଜେଶ୍ବର ମେହେର ପ୍ରମୁଖ ଶିକ୍ଷକେ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।





