

ବରମୁଣ୍ଡାରେ ଦୁଇଦିନିଆଁ ନୁଆଁଖାଇ ଭେଟଘାଟ ଉଦଯାପିତ
ବିଜେପୁର : ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଦୁଇଦିନ ଧରି ଚାଳିଥିବା ଲୋକକଳା, ଲୋକଗୀତ ଓ ଲୋକନାଚର ଜ୍ୱଳନ୍ତ ନିଦର୍ଶନ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଗ୍ରାମର ଗୌନ୍ତିଆ ଚନ୍ଦ୍ରଗୁପ୍ତ ନାଏକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା, ସମ୍ମାନୀତ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ କବି କିଶୋର ସାହୁ, ଅହଲ୍ୟା ପଧାନ, ଶିକ୍ଷକ ଘନଶ୍ୟାମ ବାରିକ, ଧୃବରାଜ ଭୋଇ, ଓକିଲ ସୁଶାନ୍ତ ସାହୁ, ଅବସର ପ୍ରାପ୍ତ ଭିଏସ ଅଧିକାରୀ ପାଧାନ, ବରିଷ୍ଠ ଚାଷୀ କିଶୋରଚନ୍ଦ୍ର ନାଏକ, ସ୍ଥାନୀୟ କଳାକାର ହାରଧନ ସାହୁ, ସ୍ଥାନୀୟ ସରପଞ୍ଚ ସୁମନ୍ତ ବଗର୍ତ୍ତି ଓ ସମିତି ସଭ୍ୟ ବ୍ୟାସଦେବ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ବହ୍ନିକନ୍ୟା ପାର୍ବତୀ ଗିରି ନାମରେ ବୃଦ୍ଧାଶ୍ରମ ପ୍ରତିଷ୍ଠା କରି ବୃଦ୍ଧବୃଦ୍ଧାଙ୍କ ସେବା କରୁଥିବା ଜଳନ୍ଧର ପଟେଲଙ୍କୁ “ମିତ ମୈତର” ସମ୍ମାନ, କୋଶଳ ରାଜ୍ୟର ଉଲଗୁଲାନ କରୁଥିବାର “ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ” ଓ ସ୍ଥାନୀୟ ଲୋକଙ୍କର ଜନସେବା ରେ ନିଜକୁ ନିୟୋଜିତ କରୁଥିବା ଅନୁଷ୍ଠାନ “ପରବାସୀ କୁଟୁମ୍” ର ସଦସ୍ୟଙ୍କୁ ନୂଆଁଖାଇ ଭେଟଘାଟ ପରିବାର ତରଫରୁ ସମ୍ମାନୀତ କରାଯାଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ତରଫରୁ ସ୍ବୀକୃତିପ୍ରାପ୍ତ ନିତା ନୃତ୍ୟାଙ୍ଗନା, ଢେଙ୍କାନାଳ ଓ ଡ଼ଃ ଆଲୋକ କୁମାର ପଣ୍ଡା ଓ ଦଳ, ସମ୍ବଲପୁର ଦ୍ବାରା ଲୋକକଳା, ଲୋକଗୀତ ଓ ଲୋକନାଚର ନିଛକ ପ୍ରତିଛବି ପ୍ରତିଫଳିତ ହୋଇ ଏକ ସଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମର କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ସାମାଜିକ ସମ୍ବଲପୁରୀ ନାଟକ “ନିସାସ୍” ଅଗଣିତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ଶିକ୍ଷକ ଡ଼ଃ ବୃନ୍ଦାବନ ନାଏକ ଓ ସୁବୁ ପଧାନ ମଞ୍ଚ ପରିଚଳନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରମୁଣ୍ଡା ଗ୍ରାମର ଯୁବ ସମାଜ ସମେତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।


