

ବରମୁଣ୍ଡାରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଦୁଇଦିନିଆ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅତି ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ ଚନ୍ଦ୍ରଗୁପ୍ତ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ରୀତା ସାହୁ ଉପସ୍ଥିତ ଥିବା ବେଳେ ଅତିଥି ଭାବେ ଶିକ୍ଷକ ହିମାଂଶୁ ଶେଖର ସାହୁ, ମଧୁସୂଦନ ପାଧାନ, ଡଃ ମନୋଜ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସୁମନ୍ତ ବଗର୍ତ୍ତି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପାଧାନ, ଅଧ୍ୟାପକ ପ୍ରଶାନ୍ତ ସାହୁ, ନାରାୟଣ ନାଏକ, ଅବସରପ୍ରାପ୍ତ ଡାକ ଅଧିକାରୀ ଛତ୍ରପତି ବେହେରା, ସମିତି ସଭ୍ୟ ବ୍ୟାସଦେବ ମାଝୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଜ ବିଶି ଯୋଗଦାନ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମର ଗୌନ୍ତିଆ ଚନ୍ଦ୍ରଗୁପ୍ତ ନାଏକଙ୍କୁ “ବରମୁଣ୍ଡା ଅମୂଲ୍ ରତନ୍” ସମ୍ମାନ ରେ ସମ୍ମାନୀତ କରାଯିବା ସହିତ ବରମୁଣ୍ଡା ଗ୍ରାମର ପ୍ରଥମ ବ୍ୟକ୍ତି ଭାବରେ ବାୟୁସେନାରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ନାଏକ ଓ ନାରୀ କବି ଅହଲ୍ୟା ପାଧାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଗ୍ରାମର ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାର ଓ ଚାଷୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହା ସହିତ ନୂଆଁଖାଇ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା କେରମ୍ ପ୍ରତିଯୋଗିତର କୃତି ପ୍ରତିଭାକୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବରଗଡ଼, ନୂଆପଡ଼ା ଓ ପଡୋଶୀ ଛତିଶଗଡ଼ରୁ ପ୍ରସିଦ୍ଧି ଅର୍ଜନ କରିଥିବା ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହ ଅଗଣିତ ଦର୍ଶକଙ୍କ ମନମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ ଡଃ ବୃନ୍ଦାବନ ନାଏକ,ଶିକ୍ଷକ ଶିବୁ ପଧାନ, ଆଶିଷ ପଧାନ ମଞ୍ଚ ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେେ ଶେଷରେ ଶେଷଦେବ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗ୍ରାମର ଯୁବବର୍ଗଙ୍କ ସମେତ ବୟୋଜ୍ୟେଷ୍ଠ ମାନେ ସହଯୋଗ କରିଥିଲେ ।





