

ଲଣ୍ଡନରେ ଉନ୍ମୋଚିତ ହେଲା ପ୍ରଶାନ୍ତ ମେହେରଙ୍କ ‘କବିତା ଓ କୋହ’
ବରଗଡ : ବରଗଡ଼ ଜିଲ୍ଲା ଜମଲା, ପଦ୍ମପୁର ମାଟିର ପୁଅ, ସାହିତ୍ୟିକ ପ୍ରଶାନ୍ତ ମେହେରଙ୍କ ନୂଆ କବିତା ସଂଗ୍ରହ ‘କବିତା ଓ କୋହ’ ଲଣ୍ଡନରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ଓଡିଶା ସୋସାଇଟି ଅଫ୍ ୟୁକେ (OSUK)ର 46 ତମ ବାର୍ଷିକ ସମ୍ମିଳନୀରେ ଉତ୍ସବମୁଖର ପରିବେଶରେ ଉନ୍ମୋଚନ କରାଯାଇଥିଲା । ଏହା ପ୍ରଶାନ୍ତ ମେହେରଙ୍କ ତୃତୀୟ କବିତା ସଂକଳନ । ସେ ବର୍ତ୍ତମାନ ଦୁବାଇରେ ବସବାସ କରୁଥିବା ସତ୍ତ୍ବେ, ମନରୁ ଓଡ଼ିଆ ମାଟିର ସ୍ମୃତି, ସମ୍ବଲପୁରୀ ସାହିତ୍ୟର ଗନ୍ଧ ଓ ଜୀବନର ଅନୁଭବକୁ ତାଙ୍କ କବିତାରେ ପ୍ରକାଶ କରିବାକୁ ଭୁଲି ପାରନ୍ତି ନାହିଁ । ଦେବାଶୀଷ ମେହେରଙ୍କ ସୂଚନା ଅନୁସାରେ, ପ୍ରଶାନ୍ତଙ୍କର ପ୍ରଥମ ବହି ମାଟିର “ମହକ ଦୁବାଇ” ରେ ଦ୍ବିତୀୟ ବହି “ମାଟିର ସୁରତା” ବାଙ୍ଗାଲୋରରେ ପ୍ରକାଶିତ ହୋଇ ବେଶ୍ ଆଲଗା ନାଆଁ ସୃଷ୍ଟି କରିଥିଲା । “କବିତା ଓ କୋହ” ସଂଗ୍ରହରେ ମୋଟ 31 ଗୋଟି କବିତା ସ୍ଥାନ ପାଇଥିବା ବେଳେ ସେଥିରେ ନିଜ ମନର ବେଦନା, ଅନୁଭୂତି ଓ ସ୍ବପ୍ନକୁ ଶବ୍ଦରେ ବାନ୍ଧିଛନ୍ତି ଲେଖକ । ସେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ସୃଷ୍ଟି କରୁଥିବାରୁ ପାଠକମାନଙ୍କ ମଧ୍ୟରେ ତାଙ୍କ ରଚନା ଭିନ୍ନ ସ୍ଥାନ ଦାବୀ କରେ । ଉନ୍ମୋଚନ ଅବସରରେ ମଞ୍ଚ ଉପରେ ପ୍ରସିଦ୍ଧ ଟିଭି କଳାକାର ତଥା ସାହିତ୍ୟିକ କୁନା ତ୍ରିପାଠୀ, ପଦ୍ମଶ୍ରୀ ଅଦ୍ୱେତ ଗଡ଼ନାୟକ OSUK ର ସଭାପତି ବିଶ୍ୱଜିତ ପଧାନ ଓ ସେକ୍ରେଟାରୀ ସୁକାନ୍ତ ସାହୁ ଉପସ୍ଥିତ ଥିବା ବେଳେ ଲଣ୍ଡନରେ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ ବରଗଡ଼ ତଥା ପଦ୍ମପୁର ମାଟି ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସ୍ଥାନୀୟ ବ୍ୟକ୍ତିମାନେ କହିଛନ୍ତି । ଏଭଳି ସାହିତ୍ୟିକ ପ୍ରୟାସକୁ ବିଦେଶ ଭୁମିରେ ପ୍ରଶ୍ରୟ ଦେଇଥିବାରୁ ଆୟୋଜକ OSUK ଟିମ୍ଙ୍କୁ ସାହିତ୍ୟପ୍ରେମୀ ମାନଙ୍କଠାରୁ ଅଭିନନ୍ଦନ ଓ କୃତଜ୍ଞତାର ସୁଅ ଛୁଟୁଛି ।



