

ଉପଦେଷ୍ଟା କମିଟି ଗଠିତ
ସମ୍ବଲପୁର : ଓଡ଼ିଶା ତଥା ଓଡ଼ିଶା ବାହାରେ ସମଲେଈ ସଂସ୍କୃତିର ପ୍ରଚାର ପ୍ରସାର ସମେତ ଆଗାମୀ ଦିନରେ ଅନ୍ତର୍ଜାତୀୟ ସମଲେଈ ଆଧ୍ୟାତ୍ମିକ ସମାବେଶ ଆୟୋଜନ ପାଇଁ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଅଛି । ଏହାକୁ ନେଇ ଆଜି ପୂର୍ବାହ୍ନରେ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପରିସରରେ ପ୍ରଫେସର ଡ଼ଃ ରାଧେଗୋପାଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ପଚାଶ ଜଣ ପ୍ରତିନିଧି, ଭଦ୍ରବ୍ୟକ୍ତି ଏବଂ ଭଦ୍ରମହିଳା ଏହି ବୈଠକରେ ଯୋଗଦାନ କରିଥିବା ବେଳେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ରେ ଥିବା ସମଲେଈ ମନ୍ଦିର ଗୁଡ଼ିକର ସମନ୍ୱୟ ସମେତ ପ୍ରଚାର ପ୍ରସାର ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ଗଠିତ ଉପଦେଷ୍ଟା କମିଟିରେ ଆବାହକ ଭାବେ ପ୍ରଫେସର ଡ଼ଃ ରାଧେଗୋପାଳ ପ୍ରଧାନ, ସହ ଆବାହକ ଭାବେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ଼ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବାବୁ, ଉପଦେଷ୍ଟା କମିଟିର ମାନ୍ୟବର ସଦସ୍ୟ ଭାବରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସାଧୁ ଚରଣ ପଣ୍ଡା, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ଼ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଦାଶିବ ମହାପାତ୍ର, ବିଶିଷ୍ଟ ସମାଜ ସେବୀ ତଥା ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ଶ୍ରୀମତୀ ଭାରତୀ ପଣ୍ଡା, ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ, ଶ୍ରୀଯୁକ୍ତ ଜଗଦୀଶ ପାଣ୍ଡେ, ଶ୍ରୀଯୁକ୍ତ ନେପାଳ ପ୍ରଧାନ, ଶ୍ରୀଯୁକ୍ତ ଗୋବିନ୍ଦ ଅଗ୍ରଓ୍ବାଲ, ସାମ୍ବାଦିକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ପ୍ରମୁଖ ରହିଛନ୍ତି । ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଭ୍ୟସଭ୍ୟା ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ଜଣାପଡିଛି ।


