

କର୍ମଭୂମି ବିଜେପୁରରେ ଗଙ୍ଗାଧର ଜୟନ୍ତୀ ଉତ୍ସବ ପାଳିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ଓ ରେଡିଏନ୍ସ ଶିକ୍ଷାନୁଷ୍ଠାନର ମିଳିତ ସହଯୋଗରେ ରେଡିଏନ୍ସ ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ତଥା ନାଟ୍ୟକାର ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟା ଓ ମୁଖ୍ୟବକ୍ତା ଭାବେ ଉତ୍ତର ବିଶ୍ବବିଦ୍ୟାଳୟ, ବାରିପଦାର ଅବସରପ୍ରାପ୍ତ ପ୍ରଫେସର ଡ.ବବୃବାହନ ମହାପାତ୍ର ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାରୁ ସାହିତ୍ୟିକ ରମେଶ ପ୍ରସାଦ ମେହେର, ମେଲଛାମୁଣ୍ଡା କଲେଜର ପ୍ରାଧ୍ୟାପକ ଡ.ପ୍ରଦୀପ କୁମାର ପଧାନ, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ୍ ଅଜିତ କୁମାର ମେହେର ଉପସ୍ଥିତ ରହି ମେହେର କବିଙ୍କ ବିଷୟରେ ଭିନ୍ନ ଭିନ୍ନ ଆକର୍ଷଣୀୟ ବକ୍ତବ୍ୟ ରଖିଥିଲେ । ରେଡିଏନ୍ସ ର ଉପାଧ୍ୟକ୍ଷ ସଞ୍ଜୟ ବାରିକ ଅତିଥି ସ୍ବାଗତ, ପରିଷଦର ସମ୍ପାଦକ ରାଜେଶ୍ବର ବେହେରା ଅତିଥି ପରିଚୟ, ଉପ-ସଭାପତି ହୃଦାନନ୍ଦ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗଙ୍ଗାଧରଙ୍କ ସାହିତ୍ୟ ବିଷୟରେ ଅନେକ ଉକ୍ତି ଉପସ୍ଥାପନ କରି ସମସ୍ତ ଲେଖାକୁ ସ୍ବ ଭାବରେ ଲେଖିଥିବାରୁ କବି ଗଙ୍ଗାଧରଙ୍କୁ ସ୍ବଭାବ କବି କହିବା ବୋଲି ମୁଖ୍ୟବକ୍ତା ମାନନୀୟ ଡ.ମହାପାତ୍ର ମତପୋଷଣ କରିବା ସହିତ କବିଙ୍କ କର୍ମଭୂମି ବିଜେପୁର ମାଟି ତାଙ୍କୁ ପ୍ରେରଣା ଦେଇ ଉଚ୍ଚାସନରେ ମଣ୍ଡିତ କରିଛି ବୋଲି ପ୍ରକାଶ କରିଥିଲେ ।


ଆଗାମୀ ଦିନରେ ବିଜେପୁର ଅଞ୍ଚଳରେ ସ୍ବଭାବ କବି ଗଙ୍ଗାଧର ମେହେର, ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠ୍ ଓ ବହ୍ନିକନ୍ୟା ପାର୍ବତୀଗିରିଙ୍କ ସ୍ମୃତିରକ୍ଷା ନିମିତ୍ତ ଯୋଜନାବଦ୍ଧ ଭାବେ ଅଧିକରୁ ଅଧିକ ଲୋକଙ୍କୁ ସାମିଳ କରାଯାଇ ପ୍ରଚାର ପ୍ରସାରକୁ ସଫଳ କରିବା ବୋଲି ଉକ୍ତି ରଖିବା ସହିତ ଖଗେଶ୍ବର ସାହିତ୍ୟ କଳା ପରିଷଦର ପ୍ରୟୋଜନରେ ଏକ ଗୃହ ପାଇଁ ସହଯୋଗ କରିବେ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗଡତିୟା କଥା ରଖିଥିଲେ । ଏହି ଅବସରରେ ଗଙ୍ଗାଧରଙ୍କ ବିଷୟରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରଷ୍କୃତ କରାଯାଇଥିଲା । ପରିଷଦର ସହ-ସମ୍ପାଦକ ମକରଧ୍ବଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଖଗେଶ୍ବର ସାହିତ୍ୟ କଳା ପରିଷଦ ପରିବାର ଓ ରେଡିଏନ୍ସ ଶିକ୍ଷାନୁଷ୍ଠାନ ପରିବାର ସକ୍ରୀୟ ସହଯୋଗ କରିଥିଲେ । ଶେଷରେ କବି ଜଗଜ୍ଜୀବନ ରାମ ଡନସନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





