ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା

ବିଇଓ ପ୍ରଦାନ କଲେ ଫାଇନାଲ ପେନସନ

ବିଜେପୁର଼:- ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷେତର୍ ପଡ଼ା ପ୍ରାଥମିକ ବିଦ୍ୟାଳୟ ଜାରିଂର ପ୍ରଧାନ ଶିକ୍ଷକ ସୈାଦାମିନୀ ମାଝୀ ଗୁରୁବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜାରିଂ ସିଆରସିସି ରାଜେଶ୍ୱର ବେହେରାଙ୍କ ସଂଯୋଜନାରେ ଓ ସ୍କୁଲ ଚେୟାରମେନ ରାଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷକଙ୍କୁ ଚୂଡ଼ାନ୍ତ ପେନସନ ପେପର୍ ପ୍ରଦାନ କରିଥିଲେ । ସେବା ନିବୃତ୍ତ ଦିନ ହିଁ ଫାଇନାଲ ପେନସନ ପ୍ରଦାନ କରିବା ବିଷୟ ଏହି ବ୍ଲକରେ ପ୍ରଥମ ଘଟଣା ହୋଇଥିବାରୁ ଗୋଷ୍ଠୀ ଶିକ୍ଷା ବିଭାଗକୁ ବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ପାଣ୍ଡେ, ଶିକ୍ଷାବିତ ଘନଶ୍ୟାମ ସାହୁ , ମିଳିତ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଭାଗବତ ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ସୁସ୍ଥ ନିରାମୟ କାମନା କରିଥିଲେ । ବିଦ୍ୟାଳୟ ପକ୍ଷରୁ ଶିକ୍ଷୟିତ୍ରୀ ଶ୍ରୀମତୀ ମାଝୀଙ୍କୁ ସ୍ମୃତି ଫଳକ ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରତ୍ନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ଶିକ୍ଷକ ଧର୍ମ ସାହୁ, ଶିକ୍ଷୟିତ୍ରୀ ସତ୍ୟଭାମା ପାତ୍ର, ସୁଶ୍ରୀ ସୁନିତା ପ୍ରଧାନଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ସ୍କୁଲ ପରିଚାଳନା କମିଟି ସମେତ ଅଞ୍ଚଳବାସୀ ଅବସର ନେଉଥିବା ଶିକ୍ଷୟିତ୍ରୀଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ଭବ୍ୟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top