

ଦଶହରାରେ ପୁଣି ଚାଲିବ ରାବଣରାଜ, ପ୍ରକମ୍ପିତ ହେବ ବିଜେପୁର ସହର
ବିଜେପୁର : ପ୍ରତିବର୍ଷ ପରି ଚଳିତ ବର୍ଷ ବରଗଡ଼ ଜିଲ୍ଲା ବିଜେପୁର ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଶ୍ୱିନ ଶୁକ୍ଲପକ୍ଷ ମହାସପ୍ତମୀ ଠାରୁ ବିଜୟା ଦଶମି ପର୍ଯ୍ୟନ୍ତ ପ୍ରତିବର୍ଷ ପରି ଚଳିତ ବର୍ଷ ରାବଣରାଜ ସହିତ ରାମଲୀଲା ପାଇଁ କମିଟୀ ତରଫରୁ ସର୍ବଜନୀନ ନବଦିନାତ୍ମକ ଦୁର୍ଗାପୂଜା, ବିଜେପୁର ୨୦୨୫ ପାଇଁ କଳାକାରମାନଙ୍କୁ ବରଣ କରାଯାଇଛି । ଏହି ଅବସରରେ ବିଶିଷ୍ଟ ମହାରାଜ ଅଭିନେତା କଳାକାର ଗୋଳାପ ଚନ୍ଦ୍ର ଦାଶ ଓ ସାଥୀ କଳାକାରମାନଙ୍କୁ ଶ୍ରୀଫଳ, ପୁଷ୍ପମାଲ୍ୟ ଓ ଉତ୍ତରିୟ ସହିତ ବାଜା ବଜାଇ ସସମ୍ମାନେ ବରଣ କରାଯାଇଥିଲା ।


ଏହା ପରେ ମହାରାଜ ଅଭିନେତା ଶ୍ରୀଯୁକ୍ତ ଦାଶଙ୍କ ଚିତ୍ତାକର୍ଷକ ସଂଳାପରେ ସ୍ଥଳଟି ପ୍ରକମ୍ପିତ ହୋଇ ଉଠିଥିଲା । ଏହି କଳାକାର ବରଣ କାର୍ଯ୍ୟକ୍ରମରେ ବିଜେପୁର ସାର୍ବଜନୀନ ଦୁର୍ଗାପୂଜା କମିଟୀର ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ସାହୁଙ୍କ ସମେତ କମିଟୀ ସଦସ୍ୟ ଓ ବିଜେପୁରବାସୀ ଉପସ୍ଥିତ ଥିଲେ । ଉତ୍ସାହ ଉଦ୍ଧିପନାର ସହିତ ଚଳିତ ବର୍ଷ ଦୁର୍ଗାପୂଜା ସୂଚାରୁ ରୂପେ ପାଳନ କରାଯିବା ନିମିତ୍ତ ସମ୍ପାଦକ ଶ୍ରୀଯୁକ୍ତ ପାଣିଗ୍ରାହୀ ସମସ୍ତ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି ।





