ବରିଷ୍ଠ ନାଗରିକ ସଂଘର ବନମହୋତ୍ସବ ପାଳନ

ବରିଷ୍ଠ ନାଗରିକ ସଂଘର ବନମହୋତ୍ସବ ପାଳନ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟର ତଥା ବିଜେପୁର ବନ ବିଭାଗର ସହଯୋଗରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏମ୍.ଗଣ୍ଡପାଲି ଗୁରୁବାରି ମିର୍ଦ୍ଧା ମିନିଷ୍ଟାଡିୟମ୍ ଠାରେ ସଭାପତି ଶ୍ରୀଯୁକ୍ତ ନବକିଶୋର ସାହୁଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବିଜେପୁର ଫରେଷ୍ଟର ଶ୍ରୀଯୁକ୍ତ ଚିନ୍ମୟ କୁମାର ପ୍ରଧାନ ଉପସ୍ଥିତ ରହି ବୃକ୍ଷ ରୋପଣ ପାଇଁ ଖରାଦିନରୁ ଗାତ ଖୋଳିବା ଇତ୍ୟାଦି ପୂର୍ବ ପ୍ରସ୍ତୁତି ଓ ବୃକ୍ଷରୋପଣର ପରବର୍ତ୍ତି ଯତ୍ନବିଧି ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ବିଜେପୁର କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ରହି ରାମାୟଣ ଯୁଗରେ ଘନଜଙ୍ଗଲ ଥିବା କଥାରୁ ଆରମ୍ଭ କରି ବର୍ତ୍ତମାନ ନିର୍ଦ୍ଧାରିତ ୩୩% ଜଙ୍ଗଲ ରହିବା ଯାଗାରେ ଏବେ ତାହା ମାତ୍ର ୨୨% ରେ ସୀମିତ ରହିଯାଇଥିବା ବିଷୟ ଉପସ୍ଥାପନ କରି ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଥାନାଧିକାରୀ ଶ୍ରୀଯୁକ୍ତ ସୁଶାନ୍ତମଣି ମହାନ୍ତି, ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର ଉପସ୍ଥିତ ରହି ବୃକ୍ଷରୋପଣର ଆବଶ୍ୟକତା ଉପରେ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦେବା ସହିତ ବିଜେପୁର ବରିଷ୍ଠ ନାଗରିକ ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ । ସଂଘର ଉପଦେଷ୍ଟା ଡା. ତହସିଲ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସହ-ସମ୍ପାଦକ ଶ୍ରୀଯୁକ୍ତ ପ୍ରେମରାଜ ପଟେଲ ସଭା ପରିଚାଳନା ଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାକାର୍ଯ୍ୟ ସମାପ୍ତି ପରେ ଆଦର୍ଶ ବିଦ୍ୟାଳୟରୁ ମିନିଷ୍ଟାଡିୟମ୍ ପର୍ଯ୍ୟନ୍ତ ରାସ୍ତା କଡ଼ରେ ସମସ୍ତଙ୍କର ସହଯୋଗରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top