୨୫ ରେ ବ୍ଲକସ୍ତରୀୟ ଗଙ୍ଗାଧର ପ୍ରତିଯୋଗିତା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଡ଼. ପ୍ରଦୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସହ ସଂପାଦକ ମକରଧ୍ବଜ ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର, ପରିଚାଳନା କମିଟି ସଦସ୍ୟ ଦିଲେଶ ମେହେର, କବୟିତ୍ରୀ ସାବିତ୍ରୀ ମେହେର,କବି ଯୁଗେଶ୍ବର ତାଣ୍ଡି ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ । ସଂପାଦକ ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ପ୍ରତିଯୋଗିତା ସଂପର୍କରେ ଆଲୋକପାତ କରିଥିଲେ । ପ୍ରକୃତି କବି ଗଙ୍ଗାଧର ବିଜେପୁରରେ ତାଙ୍କର କର୍ମମୟ ଜୀବନ ଅତିବାହିତ କରିଥିବାରୁ ସ୍କୁଲରୁ କଲେଜ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ତାଙ୍କର ରଚନାବଳୀ ସଂପର୍କରେ ଅବଗତ କରାଇବା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ । ପ୍ରବନ୍ଧ ଲିଖନ, ବକୃତା ତଥା ଗଙ୍ଗାଧର ସଂଗୀତ ଉପରେ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଭାଗ ଓ ଡିଗ୍ରୀ କଲେଜ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତବର୍ଷ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଏଥିରେ ସାମିଲ୍ କରିବାକୁ ସ୍ଥିର ହୋଇଛି। ଆଗାମୀ ୨୫ ଜୁଲାଇ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ସଂପର୍କରେ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଇଚ୍ଛୁକ ପ୍ରତିଯୋଗୀ ଆଗାମୀ ଦଶ ଦିନ ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ଆହ୍ବାନ କରାଯାଉଅଛି । ବକୃତା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ଜୟନ୍ତୀ ସମାରୋହରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପ୍ରଦାନ କରିବାକୁ ସ୍ଥିର ହୋଇଛି ।



