“ମାଁକେ ନାମ୍ ପର୍ ଏକ୍ ପେଡ” ରେ ଦୁଇଶହ ଚାରା ରୋପଣ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ୍.ଏମ୍.ସି ଚେୟାରପର୍ସନ୍ କମଳାକାନ୍ତ ମଟାରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜାରିଂ ସିଆରସିସି ରାଜେଶ୍ବର ବେହେରା ଓ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରି ଉପସ୍ଥିତ ଥିଲେ । ବିଶ୍ବତାପାୟନ ନିୟନ୍ତ୍ରଣରେ ବୃକ୍ଷରୋପଣର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଛଟିଏ ରୋପଣ କରି ତାର ଉପଯୁକ୍ତ ଯତ୍ନ ନେବାକୁ ଛାତ୍ରଛାତ୍ରୀ ସମେତ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଛାତ୍ର ଆୟୁଷ ସାହୁ ଶପଥ ପାଠ କରାଇଥିଲେ । ପରେ ବୃକ୍ଷ ରୋପଣ ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ପ୍ଲା କାର୍ଡ ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ସ୍କୁଲ ପରିସରରେ ସ୍ଥାନାଭାବ ଯୋଗୁଁ ମାନପୁର ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ତଥା ନିକଟସ୍ଥ ପଡ଼ିଆରେ ଆମ୍ବ, କରଞ୍ଜ, ଅଁଳା, ଶାଗୁଆନ ଆଦି ବିଭିନ୍ନ ପ୍ରଜାତିର ଦୁଇଶହ ଚାରା ରୋପଣ କରାଯାଇଥିଲା । ଗେହ୍ଲାମଣି ମଲ୍ଲିକ, ପାର୍ଥବ ଚରଣ ଦାଶ, ଟିଟୋରାମ ଲୁହା, ପୂର୍ଣ୍ଣିମା ସା, ଉର୍ମିଳା ସ୍ବାଇଁ, ରାକେଶ କୁମାର ବାରିକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍ଥାନୀୟ ଯୁବଗୋଷ୍ଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।



