

ଆରଟିଆଇ ର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ବରଗଡ : ରାଜ୍ୟରେ ଅନେକ ମହତ୍ତ୍ବପୂର୍ଣ୍ଣ ସୂଚନା ବାବଦରେ ଲୋକେ ଅବଗତ ହୋଇପାରୁ ନଥିବା ବେଳେ ଓଡିଶା ସୂଚନା ଅଧିକାର ଅଭିଯାନ ବରଗଡ ଜିଲ୍ଲା ଶାଖା ତରଫରୁ ସୂଚନା କର୍ମୀ ତଥା ଜିଲ୍ଲା ଆବାହକ ସୁଶାନ୍ତ ଗଡତିଆଙ୍କ ଆବାହତ୍ବରେ ବରଗଡ ସ୍ଥାନୀୟ ଡି.ଆର୍.ଡି.ଏ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଉପରେ ଦୁଇଦିନିଆ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଉତ୍ତରଦାୟୀତ୍ବ କରିବା କ୍ଷେତ୍ରରେ ସୂଚନା ଅଧିକାର ଆଇନର ଭୂମିକା, ଏହାର ପ୍ରୟୋଗ ଓ ପ୍ରାସଙ୍ଗିକତା ସମ୍ପର୍କରେ ଶିବିରେ ତାଲିମ ଦିଆଯାଇଥିଲା ।


ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ଦ୍ବାରା ଉଦଘାଟିତ ଉକ୍ତ ଶିବିରରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ରାଜ୍ୟ ସହ-ଆବାହକ ଶ୍ରୀକାନ୍ତ ପାକଳ ତାଲିମ ଦେଇଥିଲେ । କଳାହାଣ୍ଡି ଗୋଳାମୁଣ୍ଡାରୁ ବିନ୍ଦୁ ମହାନନ୍ଦ, ବଲାଙ୍ଗୀରରୁ ନିଳମଣି ବିଶି, ଢେଙ୍କାନାଳରୁ ପ୍ରିୟବ୍ରତ ଗଡନାୟକ, ଆଦି ସୂଚନାକର୍ମୀଗଣ ଅତିଥି ଭାବେ ଯୋଗଦେଇ ଅଙ୍ଗେନିଭା ଅନୁଭୂତି ସହିତ ସୂଚନା ଅଧିକାର ଉପରେ ମନ୍ତବ୍ୟମାନ ଉପସ୍ଥାପନ କରିଥିଲେ । ଶିବିରରେ ଜିଲ୍ଲା ଅଞ୍ଚଳର ଜନ ସୂଚନା ଅଧିକାରୀ, ସୂଚନାକର୍ମୀ, ସାମାଜିକ କର୍ମୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ତଥା ସାଧାରଣ ଜନତା ପ୍ରଶିକ୍ଷଣ ନେଇ ଶେଷରେ ନାଗରିକଙ୍କ ପାଖରେ ଏହାର ଉପାଦେୟତା ଉପରେ ସମସ୍ତେ ସୁଚିନ୍ତିତ ମତାମତ ଦେଇଥିଲେ । ଧନ ଅପେକ୍ଷା ସୂଚନା ଅଧିକ ମୂଲ୍ୟବାନ ହୋଇଥିବା ବେଳେ ସୂଚନା ଅଧିକାର ସମ୍ପର୍କରେ ସମସ୍ତ ଜନସାଧାରଣ ଅବଗତ ହେବା ଉଚିତ ବୋଲି ମତପ୍ରକାଶ ପାଇଥିଲା ।





