

‘ତୁମର୍ ଗଲା ଦିନୁ’ ଓ ‘ଏକଲା ଏକଲବ୍ୟ ଦୁଇଟି ପୁସ୍ତକ ଉନ୍ମୋଚିତ
ସମ୍ବଲପୁର/ଚିପିଲିମା : ସମ୍ବଲପୁର ବଡ଼ସିଙ୍ଘାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂତନ କୋଠା ପରିସରରେ କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବବିଦ୍ୟାଳୟରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜେନ୍ଦ୍ର ପ୍ରସାଦ ପାଢ଼ୀ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ.ରତ୍ନାକର ରାୟ କର୍ଯ୍ୟକ୍ରମର ପରିଚାଳନା ଦାୟୀତ୍ବ ତୁଳାଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କ୍ରେଷ୍ଟ ଏକ୍ସଓର ସହ-ପ୍ରତିଷ୍ଠାତା ବସନ୍ତ କୁମାର ମିଶ୍ର, ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚର ଭାଇସ ଚାନ୍ସଲର ବିଭୁତି ଭୂଷଣ ବିଶ୍ବାଲ, ଆଇଆଇଟି ଧନବାଦ, (ଆଇଏସଏମ) ନିର୍ଦ୍ଦେଶକ ସୁକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରେଜିଷ୍ଟାର ଡ.ଚିତ୍ତରଜ୍ଞନ ସାହୁ ବିଶ୍ବବିଦ୍ୟାଳୟର ସଫଳତାର ରହସ୍ୟ ଉପସ୍ଥାପନ କରିଥିଲେ ।


ଏହି ଅବସରରେ ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଓ ସହଭାଗୀ ପଦକ୍ଷେପ ପାଇଁ ନୂତନ ରାସ୍ତା ପ୍ରଦାନ କରିବାକୁ ଥିବା ଏକ ବୁଝାମଣା ପତ୍ର ଆଇଆଇଟି (ଆଇଏସଏମ) ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ଉଚ୍ଚଶିକ୍ଷାରେ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣାର ବିକଶିତ ଦୃଶ୍ୟପଟ ଉପରେ ବସନ୍ତ କୁମାର ମିଶ୍ର ବିଶେଷ ଉପାଦେୟ ମନ୍ତବ୍ୟମାନ ରଖିଥିବା ବେଳେ ନବ ସୃଜନକୁ ପ୍ରୋତ୍ସାହିତ ଦିଗରେ ପ୍ରଫେସର ସୁକୁମାର ମିଶ୍ରଙ୍କ ସୁଚିନ୍ତିତ ମନ୍ତବ୍ୟ ଏବଂ ବିଶ୍ବବିଦ୍ୟାଳୟର ଭବିଷ୍ୟତ ଯୋଜନା ଉପରେ ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଦ୍ବାରା ଉପାଦେୟ ତଥ୍ୟ ଉପସ୍ଥାପିତ ହୋଇଥିଲା । ଏହି ଅବସରରେ ପୂର୍ବତନ କୁଳପତି, ରେଜିଷ୍ଟାର ଏବଂ ଅର୍ଥ ବିଭାଗ ନିୟନ୍ତ୍ରକମାନଙ୍କୁ ସମ୍ମାନୀତ କରାଯିବା ସହିତ ଛାତ୍ର ହେମନ୍ତ ଦୀପଙ୍କ ଦ୍ବାରା ଲିଖିତ ଦୁଇଟି ପୁସ୍ତକ ‘ତୁମର୍ ଗଲା ଦିନୁ’ ଏବଂ ‘ଏକଲା ଏକଲବ୍ୟ’ ଉନ୍ମୋଚିତ ହୋଇଥିଲା । ଆବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ଉକ୍ତ ଉତ୍ସବ ଶେଷରେ ଇଂରାଜୀ ବିଭାଗ ସହଯୋଗୀ ପ୍ରଫେସର ଡ.ଜିତେନ୍ଦ୍ର ଏବଂ ଓଡିଆ ବିଭାଗ ସହଯୋଗୀ ପ୍ରଫେସର ରାଧାକାନ୍ତ ସୁନା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





