

ଭୈରୋପୁର ନାଗରାଜପାଟ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଭୌରୋପୁର ନାଗରାଜପାଟ, ଝାକେରେନ୍ ବୁଢୀ, ଭାତପରସି ମାଆଁଙ୍କର ଏକ ଦିବସୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଲିଙ୍ଗରାଜ ବରିହା ଓ ତିଲୋତ୍ତମା ବରିହା ଦମ୍ପତ୍ତି ଦାୟୀତ୍ବ ତୁଳାଇଥିବା ବେଳେ ପୁରୋହିତ ନବ ଦାସ ବିଧି ପୂର୍ବକ ହୋମଯଜ୍ଞ ପୂଜାକାର୍ଯ୍ୟ ତୁଳାଇଥିଲେ । ସକାଳ ସମୟରେ ଗ୍ରାମର ସମସ୍ତ ମାଆ ଭଉଣୀ ଏକ କଳସ ଶୋଭାଯାତ୍ରାରେ ବାହାରି ବଡବନ୍ଧ ଠାରୁ ପୂର୍ଣ୍ଣ ଜଳ କଳସ ଆଣିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ।


ଦେବତାମାନଙ୍କ ଦର୍ଶନ ପାଇଁ ବିଜେପୁର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁଙ୍କ ପ୍ରତିନିଧି ସୁରେନ୍ଦ୍ର ସାହୁଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତ ଭକ୍ତଙ୍କ ପାଇଁ ଭୋଗଅନ୍ନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ମଧ୍ୟାହ୍ନ ସମୟରେ ରେମତା ର ପାରାୟଣ ପରିବେଷିତ ହୋଇଥିଲା । ସନ୍ଧ୍ୟା ସମୟରେ ଯୁଗିପାଲି ଓ ପଣ୍ଡକିଟାଲ ଗ୍ରାମର ସଂକୀର୍ତ୍ତନ୍ୟ ବୈଠକି କାର୍ଯ୍ୟକ୍ରମ ରହିଥିବା ବେଳେ ବର୍ଷା ଯୋଗୁଁ ତାହା ହୋଇପାରି ନଥିଲା । ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମର ଯୁବବର୍ଗଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।





