

ଖଗେଶ୍ବର ନାରୀ ସ୍ବାଧୀନତାର ବାର୍ତ୍ତାବହ ଥିଲେ ବୋଲି ମତପ୍ରକାଶ
ବିଜେପୁର/ବରଗଡ : ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ହୋଇଥିବା ବେଳେ ପୁରୁଷ ପରି ନାରୀର ସ୍ବାଧୀନତା ଏକାନ୍ତ ଜରୁରୀ । ତେଣୁ ଦୂରଦ୍ରଷ୍ଟା କବି ଖଗେଶ୍ବର ବିଂଶ ଶତାବ୍ଦୀର ଅର୍ଦ୍ଧ ଶତାବ୍ଦୀରୁ ଏହା ଉପରେ ସେ ସ୍ବର ଉଠାଇଥିଲେ । ସୁତରାଂ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠ ନାରୀ ସ୍ବାଧୀନତାର ବାର୍ତ୍ତାବହ ଥିଲେ ବୋଲି ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ କବି ଖଗେଶ୍ବର ଶେଠ ଜୟନ୍ତୀ ସମାରୋହରେ ଅତିଥିଗଣ ମତପ୍ରକାଶ କରିଥିଲେ । ଜାରିଂ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ଆୟୋଜିତ ଏହି ସାରସ୍ବତ ସମାରୋହକୁ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସାମାଜିକ କର୍ମୀ ପଙ୍କଜିନୀ ଦନ୍ତାଙ୍କ ଆବାହକତ୍ବ ତଥା ପରିଷଦର ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ସରପଞ୍ଚ ପ୍ରତିନିଧି କର୍ଣ୍ଣ ବିଭାର, ସ୍କୁଲ ଚେୟାରମେନ କୃଷ୍ଣ ଚନ୍ଦ୍ର ସାହୁ, ସାମାଜିକ କର୍ମୀ ଯୋଗେନ୍ଦ୍ର ପଧାନ ପ୍ରମୁଖ ଯୋଗଦେଇ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଛାତ୍ରୀ ଦୀପ୍ତିମୟୀ ଗୁରୁ କବିଙ୍କ ନିବେଦନ କବିତା ଆବୃତ୍ତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଉପ-ସଭାପତି ହୃଦମଣି ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଏବଂ ସଂପାଦକ ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।


ଦ୍ବିତୀୟ ଅଧିବେଶନରେ ଆୟୋଜିତ ସମ୍ବଲପୁରୀ କବିତା ଆସରରେ ଜଗତଜ୍ଜୀବନ ରାମ ଡନସନା, ଯୋଗେଶ୍ୱର ତାଣ୍ଡି, ଜଗନ୍ନାଥ କୁମାର, ବିମଳ ଡନସନାଙ୍କ ସମେତ କବିମାନେ ସାମିଳ ହୋଇ ସ୍ବ-ରଚିତ କବିତାମାନ ଆବୃତ୍ତି କରିଥିଲେ । ପରେ କୁନି କଳାକାରମାନଙ୍କ ଦ୍ବାରା ମନୋରମ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଏହି ଅବସରରେ କବି ଓ କୁନି କଳାକାରମାନଙ୍କୁ ସମ୍ମାନୀତ କରାଯାଇଥିଲା । ସହ-ସଂପାଦକ ମକରଧ୍ବଜ ସାହୁ ସମାରୋହକୁ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ବିନୋଦ କୁମାର ତନ୍ତୀ, ଶିକ୍ଷୟିତ୍ରୀ ସବିତା ଭୋଇ, କେଶବ ସେଠ, ନନ୍ଦି ନାଏକ, ଅରକ୍ଷିତ ସାହୁ, ପ୍ରେମରାଜ ସାହୁ, ବିମଳ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କବି ତୁଳସୀରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।





