

କୋଶଳ ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଡୁଙ୍ଗୁରିବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କୋଶଳ ପରିବାର ଖରମୁଣ୍ଡା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜେପୁରର ମେଡିକାଲ ଅଫିସର ଡ.ସୁଶାନ୍ତ କୁମାର ମେହେର, କୋଶଳ ପରିବାରର ସଭାପତି ଡ.ସୁଦାମ ସାହୁ, ସମ୍ପାଦକ ଅଚ୍ୟୁତ ତ୍ରିପାଠୀ ଯୋଗଦେଇ ସାମୁହିକ ଭାବେ ଉଦଘାଟିତ କରିଥିଲେ । ପରିବାରର ସଦସ୍ୟ ବିଜୟ ତ୍ରିପାଠୀ, ସଞ୍ଜିତ ପଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ରକ୍ତ ସଂଗ୍ରହରେ ଅଜିତ ତ୍ରିପାଠୀ, ଅଶୋକ କୁମାର ପୁଝାରୀ, ରସିକ ମେହେର, ସଚ୍ଚିଦାନନ୍ଦ ପଧାନ, ତ୍ରିଲୋଚନ ବେହେରା, ଅଚ୍ୟୁତା ଦାସ, ମହାଦେବ ରଥ ସହଯୋଗ କରିଥିଲେ । ରଙ୍ଗମାଟିଆ ଗ୍ରାମର କୋସନ ଦୀପ, କୁନା ଦାଶ ଓ ରଥି ସାହୁ କୋଶଳ ପରିବାରକୁ ବିଶେଷ ସହଯୋଗ କରିଥିଲେ ଏବଂ ସେମାନଙ୍କୁ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରଗଡ ରକ୍ତ ଭଣ୍ଡାରରୁ କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ଶିବିରରେ ସର୍ବମୋଟ ୬୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ସେଥି ମଧ୍ୟରୁ ୫୫ ଜଣ ପୁରୁଷ ଏବଂ ୬ ଜଣ ମହିଳା ମିଶି ସର୍ବମୋଟ ୬୧ ଜଣ ରକ୍ତଦାନ କରିଥିଲେ ।





